କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍ରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରରୁ ଆଜି ଗୋଟିଏ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ରେଙ୍ଗାଳି ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାୟୀ ରେଙ୍ଗାଳି ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଅଟେ । ଗତ କାଲି ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମ୍ରେ ଜଳସ୍ତର ୧୧୯.୬୯ ମିଟରରେ ପହଞ୍ଚିଥିଲା । ଡ୍ୟାମର ଜଳଧାରଣ ସାରଣୀ ଅନୁଯାୟୀ ଗତ କାଲି ତାରିଖରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା , ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୩୪୭.୨୫ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟାନେଲ ଦେଇ ୫୯୭.୧୧ ଘନ ମିଟର ଜଳ ନିଷ୍କାସିତ ହେଉଛି। ପ୍ରତି ଘଣ୍ଟାରେ ଡ୍ୟାମରେ ୨ ସେ.ମି ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଆଜି ମୋଟ ୨୪ଟି ଗେଟ୍ ମଧ୍ୟରୁ ଗୋଟିଏ ଗେଟ୍ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ରେଙ୍ଗାଳି ଡ୍ୟାମ୍ର ନିମ୍ନରେ ବ୍ରାହ୍ମଣୀ ନଦୀର ଉଭୟ କୂଳରେ ବସବାସ କରୁଥିବା ଗ୍ରାମର ଜନସାଧାରଣଙ୍କ ସମେତ ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳିଆ ଜନସାଧାରଣ ସତର୍କ ରହିବାକୁ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।
ରେଙ୍ଗାଳି ଜଳ ପ୍ରକଳ୍ପ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ !

