ଆସିଲା ଶୀତ ଋତୁ : ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଚିଲିକା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଧୀରେ ଧୀରେ ରାଜ୍ୟରେ ଶୀତ ଋତୁ ପ୍ରବେଶ କରିବା ଆରମ୍ଭ କରିଛି । ମରାଳ ମାଳିନୀ ନୀଲାମ୍ଵୁ ଚିଲିକା ଏବେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡୁଛି । ପକ୍ଷୀମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଜମିଲ‍ାଣି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ନିକଟସ୍ଥ ମଙ୍ଗଳାଯୋଡି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଆଜି ସୁଦ୍ଧା ଚିଲିକାକୁ ୨୧ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ବେଳେ ସେଥି ମଧ୍ୟରୁ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ୧୧ ହଜାରରୁ ଅଧିକ ପକ୍ଷୀ ଆସିଥିବାର ଜଣାପଡିଛି । ଏସିଆ ମହାଦେଶର ସର୍ବ ବୃହତ ଲୁଣ ହ୍ରଦ ଚିଲିକାରେ ଶୀତ ଦିନେ ଜମୁଛି ଦେଶୀ ବିଦେଶୀ ପକ୍ଷୀଙ୍କ ସମ୍ଭାର । ହଜାର ହଜାର କିଲୋମିଟର ଆକାଶ ପଥ ଅତିକ୍ରମ କରି କାଜାକିସ୍ତାନ, ସାଇବେରିଆ, ଆଫଗାନିସ୍ଥାନ, ବୁଲଗେରିଆ, ରୁଷ, ତୁର୍କି, ସାଇବେରିଆ ଆଦି ଅଞ୍ଚଳରୁ ଚିଲିକାକୁ ଉଡି ଆସିଥାନ୍ତି ବିଦେଶୀ ପକ୍ଷୀ । ଚିଲିକା ମଙ୍ଗଳାଯୋଡିରେ ପକ୍ଷୀ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ବାସସ୍ଥାନର ସୁବିଧା ଥିବାରୁ ପକ୍ଷୀ ମାନେ ଏଠାରେ ଜମାଉଛନ୍ତି ଭିଡ । ଦେଶୀ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି କୋଳାହଳରେ ଫାଟି ପଡୁଛି ମଙ୍ଗଳାଯୋଡି । ଚିଲିକାର ଟାଙ୍ଗୀ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଲାପିଙ୍ଗ ଟର୍ନ, ଗଡଉଇଟ୍, ସାଣ୍ଡ ପାଇପର, ଗଡୱାଲ, ସ୍ପଟ୍ ୱିଲ ଡକ୍, ନର୍ଦନ ପିନଟେଲ, ରୁଡି ସେଲଡକ୍ ଓ ଆଇ ବିସ୍ ଆଦି ପାଖାପାଖି ୫୦ ପ୍ରଜାତିର ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିବାର ଜଣା ପଡିଛି । ୧୬ ନଂ ଜାତୀୟ ରାଜପଥ ରେ ଭୁବନେଶ୍ୱରରୁ ୬୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଟାଙ୍ଗୀ ଆସିଥାଏ । ଟାଙ୍ଗୀ ଠାରୁ ୫ କିଲୋମିଟର ହେଉଛି ମଙ୍ଗଳା ଯୋଡିର ଦୂରତା । ମଙ୍ଗଳାଯୋଡି ଜେଟିରେ ପହଞ୍ଚିବା ପରେ କାତମରା ଡଙ୍ଗାରେ ବସି ଚିଲିକାର ନୀଳ ଜଳ ରାଶିରେ ପକ୍ଷୀ ମାନଙ୍କ ଜଳ କ୍ରୀଡା ଦୃଶ୍ୟ ଅତ୍ୟନ୍ତ ମନୋରମ । ପକ୍ଷୀମାନଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି ନହେଵା ପାଇଁ ଏଠାରେ ମୋଟର ଚାଳିତ ଡଙ୍ଗାକୁ କରାଯାଇଛି ବାରଣ । ବିଦେଶୀ ଓ ଦେଶୀ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ବିଭିନ୍ନ ସ୍ଥାନରେ ୧୧ ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ପ୍ରତିଷ୍ଠା କରିଛି । ଏହା ସହ ଚିଲିକାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିଛି ବନ ବିଭାଗ । ଆଗକୁ ଥଣ୍ଡା ବଢିବାର ସମ୍ଭାବନା ଥିବାରୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାର ଆଶା କରାଯାଉଛି । ତେଣୁ ଏଠାରେ ପକ୍ଷୀ ମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

Leave a Reply

Your email address will not be published. Required fields are marked *