ଯକ୍ଷ୍ମା ରୋଗରେ ପୀଡିତ ୬ ବର୍ଷର ଶିଶୁ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ !!!

0
171

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡା ଗ୍ରାମର ଜଣେ ୬ ବର୍ଷର ଶିଶୁ ଯକ୍ଷ୍ମା ରୋଗର ପୀଡିତ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଜଣାପଡିଛି । ପୁଅର ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲକୁ ଦୌଡି ଦୌଡି ନୟାନ୍ତ ହୋଇ ପଡିଲେଣି ପରିବାର ଲୋକ , ହେଲେ କିଛି ସୁଫଳ ମିଳିପାରୁନି । ସମ୍ପୂର୍ଣ୍ଣ ଶରୀର ଶୁଖି ଯାଇଥିବା ବେଳେ କଥା ପଦେ କହିବାକୁ ଅକ୍ଷମ ହୋଇ ପଡିଛି । ସୂଚନା ମୁତାବକ, ନୂଆଗାଁ ବ୍ଲକ ଜାକେଡା ଗ୍ରାମର ସୁବାଷ ପ୍ରଧାନଙ୍କ ପୁଅ ବିଶ୍ବ ରଞ୍ଜନ ପ୍ରଧାନ। ୩ ମାସ ହେଲା ଯକ୍ଷ୍ମା ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି । ୩ ମାସ ତଳୁ ବିଶ୍ବଙ୍କୁ ଜ୍ବର ହେବାରୁ ତାଙ୍କୁ ପ୍ରଥମେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇଥିଲେ । ସେଠାରେ କିଛି ଇଞ୍ଜେକ୍ସନ ଏବଂ ଔଷଧ ଦିଆ ଯାଇଥିଲା । ହେଲେ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନଆସିବାରୁ କିଛି ଦିନ ପରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ରକ୍ତ ପରୀକ୍ଷା କରିବା ପରେ ସବୁ ଠିକ୍ ଥିବା କହିଥିଲେ । ଦୁଇ ଦିନ ପରେ ପୁଣି ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକ ନେଇ ଯାଇଥିଲେ । ସେଠାରେ ପ୍ରାୟ ୧୦ ଦିନଧରି ଚିକିତ୍ସିତ ହେବା ପରେ ବିଶ୍ବଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିବା ପରିବର୍ତ୍ତେ ଅବନତି ଘଟିଥିଲା । ଏହାପରେ ବିଶ୍ବଙ୍କୁ ତୁରନ୍ତ ଶିଶୁଭବନକୁ ପଠାଇ ଦିଆଯାଇଥିଲା । ସେଠାରେ ବିଶ୍ବଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଯକ୍ଷ୍ମା ରୋଗରେ ପୀଡିତ ଥିବା କଥା ଜଣା ପଡିଥିଲା । ତେବେ ସେଠାରେ ପ୍ରାୟ ୧୮ ଦିନ ଚିକିତ୍ସିତ ହେବା ପରେ ସେ କିଛି ଔଷଧ ନେଇ ଘରକୁ ପଳେଇ ଆସିଲେ । ପୁଣି ସ୍ବାସ୍ଥ୍ୟ ଖରାପ ହେବାରୁ ୮ ଦିନ ପରେ ଭୁବନେଶ୍ବରର ଏକ ହସ୍ପିଟାଲକୁ ନେଇ ଯାଇଥିଲେ । ତେବେ ସେଠାରେ ଚିକିତ୍ସିତ ହେବା ପରେ ମୁଣ୍ତରେ ପାଣି ଜମିଥିବା ସହ ଅପରେସନ କରିବା ପାଇଁ କଥା ହସ୍ପିଟାଲ କର୍ତୃପକ୍ଷ କହିଥିଲେ । କିନ୍ତୁ ଶରୀରରେ ରକ୍ତ ଶୁଖି ଯାଇଥିବା ହେତୁ ଅସରେସନ କରିବା ନିମନ୍ତେ ଡାକ୍ତର ମନା କରିଥିଲେ । ହସ୍ପିଟାଲରେ ଆଉ କିଛି ଦିନ ଚିକିତ୍ସା କରାଇବା ପାଇଁ ବିଶ୍ବଙ୍କ ବାପା କହିଥିଲେ ସୁଦ୍ଧା ବିଶ୍ବଙ୍କୁ ଘରକୁ ନେଇଯିବା ପାଇଁ କହିବାରୁ ସେ ଘରକୁ ଚାଲି ଆସିଥିଲେ । ବର୍ତମାନ ସମୟରେ ପ୍ରାୟ ୮ ଦିନ ହେଲା ବିଶ୍ବ ହସ୍ପିଟାଲରୁ ଆସି ଘରେ ପଡିଥିବା ବେଳେ ଏଠାରେ କୌଣସି ପ୍ରକାରର ଚିକିତ୍ସା ସେବା ମିଳି ପାରୁନାହିଁ । ବିଶ୍ବଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଥିବା ବେଳେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଅନ୍ୟ ଲୋକର ସହଯୋଗ ଆବଶ୍ୟକତା ପଡୁଛି । ପ୍ରାୟ ୨ ବର୍ଷ ହେଲା ବିଶ୍ବଙ୍କ ମା ଆରପାରିକୁ ଚାଲି ଯାଇଥିବା ବେଳେ ଘରେ ବିଶ୍ବଙ୍କ ସେବା କରିବା ପାଇଁ ବାପା ଏବଂ ଛୋଟ ଛୋଟ ଦୁଇ ଭଉଣୀ ଅଛନ୍ତି । ବଡ ଭଉଣୀ ନବମ ଏବଂ ସାନ ଭଉଣୀ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ବିଶ୍ବଙ୍କ ବାପା ଚାଷ କାମ କରି ପରିବାର ଚଳାଉଥିବା ବେଳେ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଦୌଡି ଦୌଡି ୩ ମାସ ହେଲା ନିଜ କାମ ବି କରି ପାରୁନାହାଁନ୍ତି । ଏଭଳି ପରିସ୍ଥିତିରେ ପୁଅର ଚିକିତ୍ସା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଯିବା ପରେ ବର୍ତମାନ ହସ୍ପିଟାଲକୁ ନେବା ପାଇଁ ପାଖରେ ଅର୍ଥ ନଥିବା ହେତୁ ନିଜ ମନରେ ସାହାସ ଜୁଟାଇ ପାରୁନାହାଁନ୍ତି । ଯଦି କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଆର୍ଥୀକ ସହଯୋଗ ମିଳିପାରେ ତାହାଲେ ସେ ପୁଅକୁ ଚିକିତ୍ସା କରିପାରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here