ଭୁବନେଶ୍ୱର ( ଆଵୋଳ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ହୋଇଯାଇଛି ଏକ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ । ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ସଂସ୍ଥା ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କଳ୍ପନା ଛକସ୍ଥିତ ଉତ୍କଳ କନିକା ଗାଲେରିଆ ମଲ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନନ୍ୟା ଅନୁପମାଙ୍କ ସମେତ ୮ ମହିଳାଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଛି । ନାରୀ ପ୍ରତିଭା ପୂଜା ତଥା ସମ୍ମାନ ପ୍ରଦାନ ସମାରୋହରେ ସୁଶ୍ରୀ ଅନୁପମା ପଣ୍ଡାଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପ୍ରତି ଅନୁପମା କଟକ ବଡ଼ ମେଡିକାଲରେ ସହାୟ ସଂସ୍ଥା ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସଂଯୋଜକ ଦାୟିତ୍ୱ ତୁଲାଉଛନ୍ତି । ଏହା ପୂର୍ବରୁ ସେ ଦୃଷ୍ଟିଦାନ ଓ SOS Childrens Village of India ରେ ଦୀର୍ଘ ବର୍ଷ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଦୀର୍ଘବର୍ଷ କାର୍ଯ୍ୟ କରିବା ପରେ କଟକରେ ନିରବଚ୍ଛିନ୍ନ ଭାବେ ସେବା କାର୍ଯ୍ୟ ପାଇଁ ସମର୍ପିତା ଅନନ୍ୟା ଅନୁପମା କରୋନା କାଳରେ ମଧ୍ୟ ନିଜ ସେବା କାର୍ଯ୍ୟରୁ ଓହରି ନଥିଲେ । ଏପରିକି ସେ ନିଜେ କରୋନା ଆକ୍ରାନ୍ତ ହୋଇ ଲଢେଇ କରିଥିଲେ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଚଳିତ ବର୍ଷ ରହିଥିବା ସ୍ଲୋଗାନ #ChooseToChallenge – ଆହ୍ୱାନକୁ ବାଛନ୍ତୁ ଶୀର୍ଷକକୁ ଦୃଷ୍ଟିରେ ରଖି ଏଭଳି ନିଆରା ପ୍ରୟାସ କରାଯାଇଥିଲା । ପ୍ରଥମେ ଜନତା ମଇଦାନରୁ କଳ୍ପନା ଛକ ଯାଏଁ ମହିଳାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ ଶୋଭାଯାତ୍ରା କରାଯାଇଥିଲା ।
ଅନନ୍ୟା ଅନୁପମାଙ୍କ ସମେତ ୮ ମହିଳାଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନ !!!

