ଢେ଼ଙ୍କାନାଳ ( ଆୱାଜ ମିଡିଆ ) – ରଞ୍ଜିତ ବେହେରା : ଗତ କିଛିଦିନ ହେବ କୋରନା ର ଦ୍ୱିତୀୟ ଲହରୀ ତାର କାୟା ବିସ୍ତାର କରିଥିବା ବେଳେ ରାଜ୍ୟ ତଥା କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କୁ ନିବେଦନ କରି କହିଛନ୍ତି , ମା ମାନେ ଘରେ କୋରନା କୁ ଜଗିବେ ଏବଂ ବାହାରେ ସରକାର ଜଗିବେ । ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ଜନ ଗହଳି ସ୍ଥାନ ମାନଙ୍କରେ ତଥା ହାଟ ବଜାର ମାନଙ୍କରେ ମାସ୍କ ଚେକିଂ କରିବା ସହ ସାମାଜିକ ଦୂରତା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ମାସ୍କ ଚେକିଂରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଜନସାଧାରଣ ଅତ୍ୟାଚାରିତ ହେଉଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଓକିଲ ସଂଘର ଅଭିଯୋଗ ଅନୁଯାୟୀ ଗତ ଶନିବାର ଦିନ ଅପରାହ୍ନ ରେ ପୋଲିସ ଜଣେ ଆଇନଜୀବୀ ଙ୍କୁ ମାସ୍କ ଚେକିଂ କରିବା ସମୟରେ , ସେ କୋର୍ଟ କାମରେ ବ୍ୟସ୍ତ ଥିବାରୁ ପିନ୍ଧିପାରି ନାହାନ୍ତି ବୋଲି କହିଥିବାରୁ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ, ପୋଲିସ ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲା । ଏହି ଘଟଣାକୁ ଓକିଲ ସଂଘ ତୀବ୍ର ନିନ୍ଦା କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା. ସୁବ୍ରମଣି ଦୁଇ ଦିନ ଭିତରେ ଏହି ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ସହ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଓକିଲ ସଂଘ ଦାବି ରଖିଛି । ଯଦି ଆରକ୍ଷୀ ଅଧିକ୍ଷକ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଶୁକ୍ରବାର ଦିନ ଢେଙ୍କାନାଳ ବନ୍ଦ କରାଯିବ ବୋଲି ଓକିଲ ସଙ୍ଘ ଚେତାବନୀ ଦେଇଛି । ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ର, ଉପ-ସଭପତି ସରୋଜ କୁମାର ପାଢୀ ,ବରିଷ୍ଠ ଆଇନଜୀବି ସମେତ ସମସ୍ତ ଓକିଲ ସଂଘ ର ସଦସ୍ୟ ଉପସ୍ଥିତ ଥିଲେ ।
ମାସ୍କ ଚେକିଂ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଢେ଼ଙ୍କାନାଳ ଓକିଲ ସଂଘର ପ୍ରତିକ୍ରିୟା !

