ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପାରଳାଖେମୁଣ୍ଡିର ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ପ୍ରଶିକ୍ଷିକା ବିନ୍ଦୁପ୍ରିୟା ବେହେରା। ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ସହ ଜଡ଼ିତ ବିନ୍ଦୁପ୍ରିୟା ନୂଆଦିଲ୍ଲୀସ୍ଥିତ ପ୍ରସାର ଭାରତୀ ଅଧୀନ ଦୂରଦର୍ଶନ ମହାନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସମ୍ମାନଜନକ କଳାକାର ମାନ୍ୟତା ହାସଲ କରିଛନ୍ତି। ଦୀର୍ଘ ବର୍ଷର ସାଧନା, ନିଷ୍ଠା ଓ ପରିଶ୍ରମର ଫଳସ୍ବରୂପ ମିଳିଥିବା ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲାର ସାଂସ୍କୃତିକ ଗୌରବର ପ୍ରତୀକ ବୋଲି ମତ ପ୍ରକାଶ ପାଇଛି। ଜଣେ ଦକ୍ଷ ନୃତ୍ୟଶିଳ୍ପୀ ଓ ପ୍ରଶିକ୍ଷିକା ଭାବେ ସେ ଅନେକ ନୂତନ ପ୍ରତିଭାଙ୍କୁ ଗଢ଼ି ତୋଳିଛନ୍ତି। ବିନ୍ଦୁପ୍ରିୟାଙ୍କ ଏହି କୃତିତ୍ୱ ଯୁବ ନୃତ୍ୟଶିଳ୍ପୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିବା ବେଳେ କ୍ରିଏଟିଭ ଆର୍ଟ୍ସ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ରଘୁନାଥ ପାତ୍ର, ଯୁବ କଳାକାର ଆଦର୍ଶ ଦାସ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ସେ ଆହୁରି ସଫଳତା ହାସଲ କରି ଗଜପତି ଓ ଓଡ଼ିଶାର ନାମ ଉଜ୍ଜଳ କରିବେ ବୋଲି ଆଶା ପ୍ରକାଶ ପାଇଛି।
ବିନ୍ଦୁପ୍ରିୟାଙ୍କୁ ମିଳିଲା ଦୂରଦର୍ଶନ ସମ୍ମାନ !!!

