ନୟାଗଡ଼ ପୌର ପରିଷଦରେ ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରଶ୍ନ : ବଲାଙ୍ଗୀ ପାର୍କ ମାଛ ଧରାକୁ ନେଇ ଜନ ଅସନ୍ତୋଷ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ପୌର ପରିଷଦର ବିଭିନ୍ନ କାର୍ଯ୍ୟ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥିବା ବେଳେ, ପୌର ପରିଷଦର କିଛି କାର୍ଯ୍ୟରେ ସ୍ୱଚ୍ଛତାର ଅଭାବ ଥିବା ନେଇ ଆଲୋଚନା ଜୋର ଧରିଛି । ସହରରେ ଚର୍ଚ୍ଚା ହେଉଛି ଯେ କେତେକ ଟେଣ୍ଡର ପ୍ରକ୍ରିୟା ସମ୍ପର୍କରେ ଅନେକ କାଉନସିଲର ମଧ୍ୟ ଅବଗତ ନଥିବା ବେଳେ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଛରେ କୌଣସି ବଡ଼ ଅଧିକାରୀଙ୍କ ଆଶୀର୍ବାଦ ଥିବା ନେଇ ଲୋକମାନେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ, ବିଗତ ଦିନରେ ବଲାଙ୍ଗୀ ପାର୍କ ବନ୍ଧରେ ମାଛ ଧରା ଯାଇଥିବା ଘଟଣା ମଧ୍ୟ ସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଉକ୍ତ ପୋଖରୀରେ ପୂର୍ବରୁ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ମାଛ ଛଡ଼ା ଯାଇଥିବା ଜଣାପଡ଼ିଛି । ତେବେ ମାଛ ଧରାଯିବା ପରେ ସେହି ମାଛ କାହା ପାଇଁ ବ୍ୟବହୃତ ହେଲା ଏବଂ କିଏ ଏହାର ସୁବିଧା ନେଲା, ତାହାକୁ ନେଇ ସହରବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଠୁଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପୌରପରିଷଦ ଅଞ୍ଚଳରେ ଅନେକ ମୌଳିକ ସମସ୍ୟା ଏବେ ମଧ୍ୟ ଅମିମାଂସିତ ରହିଛି । ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ ଓ ଅନ୍ୟାନ୍ୟ ନାଗରିକ ସେବା କ୍ଷେତ୍ରରେ ଆଶାନୁରୂପ କାର୍ଯ୍ୟ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ପରିସ୍ଥିତିରେ ପୌରପରିଷଦର କାର୍ଯ୍ୟକଳାପ ଓ ଟେଣ୍ଡର ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ସହ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *