ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଦୌରାତ୍ମ୍ୟ ଘଟେଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଆମ୍ ଆଦମୀ ପାର୍ଟିର ଦାବୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କିଛି ପୁରୁଷ ଅଣଛାତ୍ର କ୍ୟାମ୍ପସ ପରିସରକୁ ପଶି ଛାତ୍ରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣା ସାରା ଓଡ଼ିଶାର ଶୈକ୍ଷିକ ବ୍ୟବସ୍ଥାରେ କାଳିମା ବୋଳି ଦେଇଛି।ଅଣଛାତ୍ର ମାନେ ସରକାରୀ ଦଳ ସମର୍ଥିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ହୋଇଥିବାରୁ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଛାତ୍ରୀ ମାନଙ୍କୁ ଜୀବନରୁ ମାରିଦେବାକୁ ଖୋଲା ଧମକ ଦେଉଥିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲେ ସୁଦ୍ଧା ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଆଚମ୍ବିତ କରିଛି। ମହିଳା ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ବିଜେପିର ଦୋମୁହାଁ ନୀତି ଆଜି ପଦାରେ ପଡ଼ିଛି । ଯାହା ଲାଗୁଛି ପୁଣିଥରେ ସୌମ୍ୟାଶ୍ରୀ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି । ନ୍ୟାୟ ନପାଇ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ବର୍ଷକ ପୂର୍ବେ ଆତ୍ମହତ୍ୟା କରିଥିଲେ । ଏବିଭିପି ଓ ଅଶୈକ୍ଷିକ ପରିବେଶ ପାଇଁ ସେ ନ୍ୟାୟ ନପାଇ ଆତ୍ମାହୁତି ଦେଇଥିଲେ । ବାଲେଶ୍ୱର ସାଂସଦ ଓ ବିଧାୟକ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବାରୁ ବିଜେପି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ଏବେ ପର୍ଯ୍ୟନ୍ତ ସୌମ୍ୟାଶ୍ରୀ ବିଶିଙ୍କ ପରିବାର ନ୍ୟାୟ ନ ପାଇ ଅପେକ୍ଷାରେ ରହିଛନ୍ତି । ସଂପ୍ରତି ବିଜେପି ସରକାର ଓଡ଼ିଶାର ଛାତ୍ର ଓ ଯୁବ ସମାଜ ପ୍ରତି ଯେଉଁଭଳି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ଏବଂ ବିଜେପି ଦଳର ପ୍ରୋତ୍ସାହନରେ ଏବିଭିପି ଅପରାଧିକ କାର୍ଯ୍ୟକଳାପ କରିଚାଲିଛି ତାହା ନିଶ୍ଚୟ ଗଭୀର ଚିନ୍ତାର ବିଷୟ।ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପୁରୁଷ ମାନଙ୍କୁ ପ୍ରବେଶ ନିଷେଧ ଥିବାବେଳେ ପୁରୁଷ ଅଣଛାତ୍ର କିପରି ଅବାଧ ପ୍ରବେଶ କରି ଗଣ୍ଡଗୋଳ କରିବାକୁ ସାହାସ ପାଇଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହା ଚାପରେ ଉକ୍ତ ଗଣ୍ଡଗୋଳରେ ଏବିଭିପିର ପୁରୁଷ ଅଣଛାତ୍ର ମାନଙ୍କ ସମ୍ପୃକ୍ତି ଥାଇ ସୁଦ୍ଧା ବିଶ୍ୱବିଦ୍ୟାଳୟ ପକ୍ଷରୁ ମାମଲା ଦାୟର ହେଲା ନାହିଁ ଆମ୍ ଆଦମୀ ପାର୍ଟି ପ୍ରଶ୍ନ ଉଠାଇଛି ? ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବିଭିପି ପ୍ରତି କୋହଳ ମନୋଭାବ ପୋଷଣ କରୁଥିବାର ପ୍ରମାଣିତ ହୋଇଛି। ସଂଯୋଗବସତଃ ଅତୀତରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଏବିଭିପିର ଜାତୀୟ କନଫରେନ୍ସକୁ ଅତିଥି ହୋଇ ଯାଇଥିବାରୁ ଏଭଳି ସମ୍ବେଦନଶୀଳ ଘଟଣାରେ କୌଣସି ତତ୍ପରତା ଦେଖାଇ ପାରୁ ନାହାନ୍ତି କି ବୋଲି ଆମ୍ ଆଦମୀ ପାର୍ଟି ପ୍ରଶ୍ନ ପଚାରିଛି ? ମାତ୍ର କେଇ ପାହୁଣ୍ଡ ଦୁରତ୍ୱରେ ଅବସ୍ଥିତ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ଥାଇ ସୁଦ୍ଧା ଅଣ ଛାତ୍ରଙ୍କର ରମାଦେବୀ ବିଶ୍ଵବିଦ୍ୟାଳୟରେ ଦୌରାତ୍ମ୍ୟ ପ୍ରଦର୍ଶନ କରିବା ପୋଲିସର ଅପାରଗତାକୁ ପଦାରେ ପକାଇଦେଇଛି। ରାଜଧାନୀର ଛାତି ଉପରେ ଗଢି ଉଠିଥିବା ଏଭଳି ଶିକ୍ଷାନୁଷ୍ଠାନର ସୁରକ୍ଷାରେ ଘୋର ଅବହେଳା ମହିଳା ବନ୍ଦନର ଢୋଲ ପିଟୁଥିବା ବିଜେପି ସରକାରର ଅପାରଗତାକୁ ଉଜାଗର କରିଛି। ସମସ୍ତ ସାକ୍ଷ୍ୟ, ସିସିଟିଭି ତଥ୍ୟ ଆଧାରରେ ତ୍ୱରିତ ତଦନ୍ତ କରାଯାଇ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରିବା ନିମନ୍ତେ ଆମ୍ ଆଦମୀ ପାର୍ଟି ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଉଛି ।

Leave a Reply

Your email address will not be published. Required fields are marked *