ଚଟୁଆ ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି । ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିବେଶ ପ୍ରେମୀ ତଥା “ବୃକ୍ଷ ବାବା” ଭାବେ ପରିଚିତ ଡ଼. ସ୍ୱାମୀ ହରିଚରଣ ମହାରାଜ, ଫରେଷ୍ଟର ଅଫିସର ଶ୍ରୀ ସୁଶାନ୍ତ କୁମାର ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ଅଧିକାରୀ ଶ୍ରୀ ଆଦିତ୍ୟ କୁମାର ମହାରଣା, ହିନ୍ଦୁ ଜାଗରଣ ମଞ୍ଚର ପ୍ରାନ୍ତ ଅଧିକାରୀ ଶ୍ରୀ ଆଶିଷ ବିଦୁରେନ୍ଦ୍ର ଛୋଟରାୟ, ବେଗୁନିଆ ଖଣ୍ଡ କାର୍ଯ୍ୟବାହ ଡ଼. ଭାସ୍ୱର ବାଗ୍ମୀତ ପରିଡ଼ା ଏବଂ ଚଟୁଆ ଶାଖା କାର୍ଯ୍ୟବାହ ଶ୍ରୀ ବିଭୂତି ଭୂଷଣ ସେଠୀ ଯୋଗ ଦେଇଥିଲେ । ଅତିଥିମାନେ ବୃକ୍ଷରୋପଣର ଆବଶ୍ୟକତା, ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପୃଥିବୀ ଗଠନର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରି ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ, ସ୍ଥାନୀୟ ଗ୍ରାମବାସୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମ, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ହୋଇଥିଲା । “ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ – ସବୁଜ ଓଡ଼ିଶା, ସୁସ୍ଥ ଭାରତ ଗଢ଼ନ୍ତୁ” ବାର୍ତ୍ତା ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *