ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ଆଜୀବନ ସଜା ଭୋଗିବେ ୧୨ ଅଭିଯୁକ୍ତ , ଅଡ଼ବା ଥାନା ଅଞ୍ଚଳର ଡବଲ ମର୍ଡର ମାମଲା ! ସ୍ୱାଧୀନତାର ୭୯ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଗୁଣିଗାରେଡିକୁ ନେଇ ଲୋକଙ୍କ ମାନସିକତା ବଦଳି ନାହିଁ। ଏହି କୁଶ୍ଚିତ ମାନସିକତାକୁ ନେଇ ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡା ସଉରା ସାହିର ବାପପୁଅଙ୍କୁ ଗୁଣିଆ ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ହର ପ୍ରସାଦ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ରେ ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡା ସଉରା ସାହିର ୧୨ଜଣ ଅଭିଯୁକ୍ତ ଜୋସୁଆ ଗମାଙ୍ଗ (୩୬ବର୍ଷ), ବେଞ୍ଜାମିନ ଗମାଙ୍ଗ (୪୦ବର୍ଷ), ସଞ୍ଜୟ ଗମାଙ୍ଗ (୨୮ବର୍ଷ), ଅଭିମନ୍ୟୁ ରାଇକା (୩୫ବର୍ଷ), କାନ୍ଦ୍ରା ଗମାଙ୍ଗ (୬୭ବର୍ଷ), ମିଖାଇଲ ଗମାଙ୍ଗ (୫୫ବର୍ଷ), ସେତୋ ରାଇକା (୪୨ବର୍ଷ), ଜିରିମିୟ ରାଇକା (୪୨ବର୍ଷ), ଆବ୍ରାହାମ ବଡ଼ରଇତ (୪୫ବର୍ଷ), ଜୁନେସ ରଇତ (୪୦ବର୍ଷ), କୁରା ରଇତ (୬୦ବର୍ଷ) ଓ ସୋମନାଥ ଗମାଙ୍ଗ (୪୫ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆହୁରି ଛଅମାସ ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ତା ୧୨-୦୬-୨୦୨୧ରିଖ ଦିନ ସନ୍ଧ୍ୟା ୫ଘଟିକା ସମୟରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ମୃତକ ଲୁକ ଦଳବେହେରାଙ୍କୁ ଘରୁ ଡାକି ନେଇ ଜୋସିଆ ଗମାଙ୍ଗଙ୍କ ଘର ନିକଟରେ ଏକ ଆଲୋଚନା କରି ତାଙ୍କୁ ଗୁଣିଗାରେଡି କରୁଥିବା ନେଇ ଦୋଷାରୋପ କରିଥିଲେ। ପରେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ମୃତକଙ୍କ ପୁଅ ଅନୁକ ଦଳବେହେରାଙ୍କୁ ସେହି ସ୍ଥାନକୁ ଡ଼କା ଯାଇଥିଲା। କିନ୍ତୁ ରାତି ୧୧ଟା ବେଳେ ଏହି ବାପ ପୁଅ ଦୁହିଁଙ୍କୁ ଅଭିଯୁକ୍ତମାନେ ଗାଁ ମୁଣ୍ଡକୁ ଟାଣିଟାଣି ନେଇ ଗାଁ ମୁଣ୍ଡରେ ଥିବା କୁସୁମ ସାହି ପଡିଆ ଜମିରେ ହତ୍ୟା କରିଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ଅନୁକଙ୍କ ବେକ କଟିଥିବା ଅବସ୍ଥାରେ ସେ ସେଠାରୁ ଆସି ନିଜ ଘର ଲୋକଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ବାପା ପଡିଥିବା ଜାଗାକୁ ଦେଖାଇଥିଲେ ଓ ପରେ ସେ ମରିଯାଇଥିଲେ। ଏହି ଲୋମହର୍ଷଣ ଘଟଣାକୁ ନେଇ ଏତଲାକାରିଣୀ ଝିଅ ଏକ ସଙ୍ଗିନ ମାମଲା ୧୩-୦୬-୨୦୨୧ରେ ଅଡ଼ବା ଥାନାରେ ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୬୩/୨୧ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୨୩ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୨୭ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଆଉ ଜଣେ ଅଭିଯୁକ୍ତ ଦେବ ମିସ୍ତ୍ରୀଙ୍କ ମାମଲା ଅଲଗା ଭାବେ ଏବେ ବି ବିଚାରାଧୀନ ରହିଛି।
ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ଆଜୀବନ ସଜା ଭୋଗିବେ ୧୨ ଅଭିଯୁକ୍ତ !!!

