ନୟାଗଡ଼ରେ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ (ସ୍ପେସିଆଲ ଲୋକ ଅଦାଲତ ) ସଫଳତାର ସହ ଆୟୋଜିତ ହୋଇଯାଇଛି।

ମାନ୍ୟବର ଅଜନ୍ତା ଷଡ଼ଙ୍ଗୀ, ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍ ଏବଂ ଅଧ୍ୟକ୍ଷା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ଙ୍କ ତତ୍ତ୍ୱାବଧାନରେ ଏହି ସ୍ୱତନ୍ତ୍ର ଲୋକ ଅଦାଲତ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହାର ସୁପରିଚାଳନା ଓ ସଫଳ ରୂପାୟନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟ ସମ୍ବନ୍ଧୀୟ ମୋଟ ୧୧ଟି ମାମଲାର ଆପୋଷ ବୁଝାମଣା ଭିତ୍ତିରେ ଫଇସଲା କରାଯାଇଥିଲା। ଏହି ମାମଲାଗୁଡ଼ିକରେ ମୋଟ ୩୭,୩୪,୪୫୨/- (ସଇଁତିରିଶ ଲକ୍ଷ ଚଉତିରିଶ ହଜାର ଚାରିଶହ ବାଉନ) ଟଙ୍କାରେ ଆପୋଷ ସମାଧାନ ହୋଇଥିଲା।

ଏହି ଲୋକ ଅଦାଲତର ସଫଳ ଆୟୋଜନ ଓ ମାମଲାଗୁଡ଼ିକର ସମାଧାନରେ ଆଇନଜୀବୀ ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀମାନେ (ପି ଏଲ ଭି ୍ସ ) ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ସେମାନେ ଜନସାଧାରଣଙ୍କ ମଧ୍ୟରେ ଲୋକ ଅଦାଲତର ଉପକାରିତା ଓ ଆପୋଷ ସମାଧାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ପ୍ରସାର କରିବା ସହ ଏହାର ସଫଳ ଆୟୋଜନରେ ସହାୟତା କରିଥିଲେ।

ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ସୂଚନା ଦେଇଥିଲେ ଯେ, ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଜାତୀୟ ଲୋକ ଅଦାଲତ (ନାସନାଲ ଲୋକ ଅଦାଲତ ) ଆସନ୍ତା ୧୨.୧୨.୨୦୨୬ ତାରିଖ, ଶନିବାର ଦିନ ଆୟୋଜିତ ହେବ। ଏହି ଲୋକ ଅଦାଲତରେ ରାଜିନାମା ଯୋଗ୍ୟ ବିଭିନ୍ନ ପ୍ରକାରର ମାମଲା ଯଥା ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ସମ୍ବନ୍ଧୀୟ ମାମଲା, ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲା, ପାରିବାରିକ ବିବାଦ ଓ ଅନ୍ୟାନ୍ୟ ରାଜିନାମା ଯୋଗ୍ୟ ମାମଲାର ସମାଧାନ କରାଯାଇପାରିବ।

ଏଣୁ ନୟାଗଡ଼ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଆଗାମୀ ଜାତୀୟ ଲୋକ ଅଦାଲତର ସୁଯୋଗ ଗ୍ରହଣ କରି ନିଜ ନିଜର ରାଜିନାମା ଯୋଗ୍ୟ ମାମଲାଗୁଡ଼ିକୁ ସ୍ୱଳ୍ପ ସମୟ ମଧ୍ୟରେ, ସହଜ ଓ ସୁଲଭ ଉପାୟରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ସଚିବା ଅନୁରୋଧ କରିଛନ୍ତି।

ଲୋକ ଅଦାଲତର ମୂଳ ଲକ୍ଷ୍ୟ ହେଉଛି – ସହଜ ନ୍ୟାୟ, ଶୀଘ୍ର ନ୍ୟାୟ ଓ ସମସ୍ତଙ୍କ ପାଇଁ ନ୍ୟାୟ।

Leave a Reply

Your email address will not be published. Required fields are marked *