କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଧାରଣା ଦେଲେ ବିଭିନ୍ନ ସଂଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଆଗରେ କେନ୍ଦ୍ରାପଡ଼ା ସଚେତନ ନାଗରିକ ମଞ୍ଚ , ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଓ ବିଭିନ୍ନ ସାମାଜିକ ସଂଘଠନର କାର୍ଯ୍ୟକର୍ତ୍ତା ମାନେ ଆଠ ଦଫା ଦାବିରେ ଧାରଣାରେ ବସିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାର ବିଭିନ୍ନ ଜାଗାରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରୋଗୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ବୁଖିନ ହେଉଛନ୍ତି । କେଉଁଠି ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି ତ କେଉଁଠି ନିରାମୟ ଔଷଧ ଉପଲବ୍ଧ ହେଉନାହିଁ । 1982 ମସିହାରେ ନିର୍ମିତ ହୋଇଥିବା ଅତିରିକ୍ତ ସ୍ୱାସ୍ଥ୍ୟକେନ୍ଦ୍ର 1993 ମସିହାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ବିବେଚିତ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ପରିମାଣର ଡାକ୍ତର, ନର୍ସ, ପାରା ମେଡିକାଲ୍ ଷ୍ଟାଫ୍ ପଦବୀ ପୂରଣ କରାଯାଇପାରିଲା ନାହିଁ । ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ,ସିଟି ସ୍କାନ କିମ୍ବା ଏସ ଆର ଆଇ ଭଳି ଅତ୍ୟାଧୁନିକ ଡାକ୍ତରୀ ଉପକରଣମଧ୍ୟ ଉପଲବ୍ଧ ନାହିଁ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଗର୍ଭବତୀ ମହିଳା ମାନଙ୍କ ପାଇ ଅଲ୍ଟ୍ରାସାଉଣ୍ଡ ର ବ୍ୟବସ୍ଥା ମଧ୍ୟ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକାର ସମସ୍ୟାଯୋଗୁଁ ଅନେକ କ୍ଷେତ୍ରରେ ରୋଗୀମାନେ ଆର୍ଥିକ ଅସୁବିଧାରେ ଥିବା ସମୟରେ ଧାର କରଜ କରି କଟକ SCB ହେଉ କିମ୍ବା ଘରୋଇ ଚିକିତ୍ସାଳୟକୁ ଯାଇଥାନ୍ତି । ଅତୀତରେ ରାଜ୍ୟ ସରକାର 200 ଶଯ୍ୟା ବୃଦ୍ଧି ପାଇଁ ଘୋଷଣା କରି ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କୁ କୌଣସି ସୁଫଳ ମିଳିପାରିଲା ନାହିଁ । ଚିକିତ୍ସାଳୟରେ ଶଯ୍ୟା ର ଅଭାବ ହେତୁ ଅନେକ ସମୟରେ ରୋଗୀ ବାରଣ୍ଡାରେ ପଡି ରହି ଚିକିତ୍ସା ହୋଇଥାନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଆଗରେ କେନ୍ଦ୍ରାପଡ଼ା ସଚେତନ ନାଗରିକ ମଞ୍ଚ , ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଓ ବିଭିନ୍ନ ସାମାଜିକ ସଂଘଠନ ର କାର୍ଯ୍ୟ କର୍ତ୍ତା ମାନେ ଆଠ ଦଫା ଦାବିରେ ଧାରଣାରେ ବସିଥିଲେ । ଧାରଣାସ୍ଥଳରେ ସାଗର ଜେନା, ପ୍ରଦୀପ ମିଶ୍ର , ବାସନ୍ତୀ ମହାପାତ୍ର,ଏମ ସି ବାରିକ୍ ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।