ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଧାରଣ ଲୋକଙ୍କ ଭୋଟରେ କ୍ଷମତାସୀନ କେନ୍ଦ୍ର ଓ ରାଜ୍ୟ ସରକାର କର୍ପୋରେଟ ଶକ୍ତିଙ୍କ ସ୍ୱାର୍ଥରେ ବ୍ୟାପକ ଜନଗଣଙ୍କ ବିରୁଦ୍ଧରେ ଭୟଙ୍କର ଆକ୍ରମଣ ଚଳାଇ ସେମାନଙ୍କ ଜୀବନକୁ ତଳିତଳାନ୍ତ କରିଚାଲିଛନ୍ତି ବୋଲି ଦର୍ଶାଇ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ମହାମାରୀକୁ ମହାସୁଯୋଗ ଭାବେ ବ୍ୟବହାର କରି ଲୋକଙ୍କୁ ଗୃହବନ୍ଦୀ ବନାଇ ଶ୍ରମିକ କୃଷକ ମାରଣ ଆଇନ ପ୍ରଣୟନ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ସଂଶୋଧନ କରି ମୁନାଫାଖୋରୀ, କଳାବଜାରୀଙ୍କ ହାତକୁ ମନଇଚ୍ଛା ଦରବୃଦ୍ଧି କରିବାକୁ ଛାଡ଼ିଦେବା, ଲାଭଜନକ ସବୁ ସରକାରୀ ସଂସ୍ଥା ଗୁଡିକୁ କର୍ପୋରେଟ ପଞ୍ଜିପତିଙ୍କ ହାତକୁ ଟେକିଦେବା, ଛାତ୍ର-ଶିକ୍ଷକ-ଅଭିଭାବକ ବିରୋଧୀ ନୂତନ ଶିକ୍ଷା ଆଇନ ୨୦୨୦ ଲାଗୁ କରି ଦେଶର ବ୍ୟାପକ ନୂତନ ପିଢିଙ୍କୁ ଶିକ୍ଷାରୁ ବଂଚିତ କରିଵା, ନିର୍ବାଚନ ପ୍ରଚାର ପାଇଁ ସବୁ କଟକଣା ମୁକ୍ତ କରିଥିବା ବେଳେ ସ୍କୁଲ କଲେଜ ବନ୍ଦ ରଖି ଅନଲାଇନ ଶିକ୍ଷା ନାମରେ ଦେଶର ୯୨% ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରାପ୍ତିରୁ ବଂଚିତ ରଖିବା ଏବଂ ଘରୋଇ ସଂସ୍ଥାମାନଙ୍କୁ ଲୁଟିବାକୁ ସୁଯୋଗ ସୃଷ୍ଟି କରିବା ଭଳି ସମସ୍ତ ପ୍ରକାର ଶ୍ରମିକ କୃଷକ ବିରୋଧୀ ଦଳିତ ଆଦିବାସୀ ମହିଳା ଛାତ୍ର ଯୁବ ବିରୋଧୀ ନୀତି କାର୍ଯ୍ୟକାରୀ କରି ଚାଲିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଫାସିବାଦୀ ମୋଦି ସରକାରଙ୍କ ଜୁନିୟର ପାର୍ଟନର ଭାବେ ଆମ ରାଜ୍ୟ ନବୀନ ପଟ୍ଟନାୟକ ସରକାର ସବୁ କ୍ଷେତ୍ରରେ କେନ୍ଦ୍ରର ଶୋଷଣ ନୀତିକୁ ସମର୍ଥନ ଦେବା ସହ ଆମ ରାଜ୍ୟରେ କାର୍ଯ୍ୟକାରୀ କରି ଚାଲିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ନବୀନ ପଟ୍ଟନାୟକ ସରକାର ଓଡ଼ିଶାର ୧୪,୩୭୯ ସ୍କୁଲ ବନ୍ଦକରି ମଫସଲ ଅଞ୍ଚଳର ବ୍ୟାପକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରାପ୍ତିରୁ ସମ୍ପୂର୍ଣ୍ଣ ବଂଚିତ କରିବା ଭଳି ଲୋକଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି କର୍ପୋରେଟ ଘରୋଇ ମାଲିକ ସପକ୍ଷବାଦୀ ତଥା ଜନ ବିରୋଧୀ ନୀତି ପ୍ରତିବାଦରେ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। କୃଷକ ସଂଗଠନମାନେ ଏହାକୁ ସମର୍ଥନ ଜଣାଇଛନ୍ତି। ୨୬ ନଭେମ୍ବର ଏହି ସର୍ବଭାରତୀୟ ଧର୍ମଘଟକୁ ଆମ ପାର୍ଟି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ) ରେଡ଼ ଷ୍ଟାର ପକ୍ଷରୁ ଦୃଢ଼ ସମର୍ଥନ ଘୋଷଣା କରାଯିବା ସହିତ ଏହି ହରତାଳକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ପାର୍ଟିର ସମସ୍ତ କ୍ୟାଡ଼ର ଓ ସମର୍ଥକ ସକ୍ରିୟ ଅଂଶଗ୍ରହଣ କରିବାକୁ ପାର୍ଟି କେନ୍ଦ୍ରୀୟ କମିଟି ଓ ଗତ ୧୬ ନଭେମ୍ବରରେ ଅନୁଷ୍ଠିତ ପାର୍ଟି ରାଜ୍ୟ କମିଟି ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଏଥିସହ ଏହି ଆନ୍ଦୋଳନକୁ ସଫଳ କରିବାକୁ ପାର୍ଟି ପକ୍ଷରୁ ଅନଲାଇନ ଓ ଅଫଲାଇନ ପ୍ରଚାର ଅଭିଯାନ ଜାରୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଚାର ଅଭିଯାନ ଓ ଧର୍ମଘଟ ପାଳନ ସମୟରେ ସମସ୍ତ କର୍ମୀ ଓ ଜନଗଣ କରୋନା ମହାମାରୀ ସତର୍କତା ଓ ନିୟମ ପାଳନ କରିବାକୁ ପାର୍ଟି ରାଜ୍ୟ କମିଟି ପକ୍ଷରୁ ନିବେଦନ କରାଯାଇଛି। ରାଜ୍ୟର ସମସ୍ତ ସଂଗଠିତ, ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ, କୃଷକ, କୃଷି ଶ୍ରମିକ, ନିର୍ମାଣ ଶ୍ରମିକ, ବସ୍ତିବାସିନ୍ଦା, ଛାତ୍ର, ଯୁବକ, ମହିଳା ଆଦି ଏହି ଧର୍ମଘଟରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଏହାକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ପାର୍ଟି ରାଜ୍ୟ କମିଟି ପକ୍ଷରୁ ନିବେଦନ କରାଯାଇଛି ।