ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଅପହରଣ ହତ୍ୟା ଘଟଣାକୁ ନେଇ ବିଧାନସଭାରେ ଜୋରଦାର ତାତି . ନୟାଗଡ ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ୫ ବର୍ଷର ନାବାଳିକା ଅପହରଣ ଓ ହତ୍ୟା ଘଟଣାକୁ ଦୀର୍ଘ ସମୟ ବିତିଥିଲେବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ନୟାଗଡ ପୁଲିସ . ଅପରାଧୀ ମାନଙ୍କୁ ଧରିବାରେ ପୁଲିସର ଟାଳଟୁଳ ନୀତିକୁ ନେଇ ସମଗ୍ର ଜିଲ୍ଲାରେ ଜୋରଦାର ଉତ୍ତେଜନା ଲାଗିରହିଛି . ଅନ୍ୟ ପକ୍ଷରେ ନ୍ୟାୟ ଦାବୀରେ ପରୀର ବାପା ମା ବିଧାନସଭା ସମ୍ମୁଖ ରାସ୍ତାରେ ଆତ୍ମାହୁତି ଉଦ୍ୟମ କରିବା ପରେ ଘଟଣାକୁ ନେଇ ଗୃହରେ ହୋଇଛି ପ୍ରବଳ ହଟଗୋଳ . ଏପରିକି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅପରାଧୀକୁ ଘଣ୍ଟା ଘୋଡ଼ାଉଥିବାର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ . ସଂପୂର୍ଣ୍ଣ ଘଟଣାକୁ ନେଇ ବାଚସ୍ପତି ରୁଲିଂ ଦେବା ସହ ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି . ପରୀ ଅପହରଣ ଏବଂ ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ ୪ଟି ପ୍ରସଙ୍ଗ ଉଠାଇଥିବା ସମୟରେ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ବାଚସ୍ପତି . ଅନ୍ୟ ପକ୍ଷରେ ରାଜନୈତିକ ଚାପରେ ପୁଲିସ ଅପରାଧୀ ମାନଙ୍କୁ ଗିରଫ କରୁନଥିବାର ଅଭିଯୋଗ ଆଣିଛନ୍ତି ପରୀର ପରିବାର ତଥା ଯଦୁପୁର ଗ୍ରାମବାସୀ .