ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ମହାସଙ୍ଘ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମାଜ ଅଧିକାରୀ ଶ୍ରୀମତୀ ମିନତୀ ଦେଈ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ସାହୁ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ 7ଟି ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀ ମହାସଙ୍ଘର ସଭାପତି, ସଂପାଦକ, କୋଷାଧ୍ୟକ୍ଷ ବିଭିନ୍ନ ବ୍ଳକ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ, ଜିଲ୍ଲା ପ୍ରକଳ୍ପ ମିଶନ ଶକ୍ତି ସଂଯୋଜକ, ବିଭିନ୍ନ ବ୍ଳକ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଉପସ୍ଥିତ ଅତିଥି ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଜୀବନ ଜୀବିକା ଓ ଆର୍ଥିକ ବିକାଶ ହୋଇ ପାରିବ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ସେମାନଙ୍କର ଜୀବନ ଶୈଳୀ ପରିବର୍ତ୍ତନ ହୋଇ ଉନ୍ନତ ମାନର ହୋଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶ କ ରବିନ୍ଦ୍ର କୁମାର ସାହୁ କ୍ଷେତପୋଖରୀ ଖନନ ଉପରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କିପରି ଖୋଳା ଯାଇ ପାରିବ ତା ଉପରେ ସମ୍ୟକ ସୂଚନା ଦେଇଥିଲେ । କ୍ଷେତ ପୋଖରୀ ଖନନ ପରେ ମାଛ ଚାଷ, ବତକ ଚାଷ, ପନିପରିବା ଚାଷ କରି ଚାଷୀ ର ଆର୍ଥିକ ବିକାଶ ହୋଇ ପାରିବ ତା ଉପରେ ବୁଝାଇଥିଲେ । ଜିଲ୍ଲାପାଳଙ୍କ ଦ୍ଵାରା ସ୍ୱୟଂ ସହାୟକ ମହା ସଂଘର ସଭାପତି ସମ୍ପାଦକଙ୍କୁ ପ୍ରଶିକ୍ଷଣ ପରେ ମାନପତ୍ର ପ୍ରଦାନ କରାଯାଇଛି ।