ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଟାଉନ ପୋଲିସ ଏକ କୁଖ୍ୟାତ ଚୋରକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଜବତ କରିଛି । ଗିରଫ ଅଭିଯୁକ୍ତ ଠାରୁ ଏକ ପଲସର ବାଇକ , ଦୁଇଟି ମୋବାଇଲ ଓ ୫ହଜାର ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣକ ମଣ୍ଡାସାହି ଅଞ୍ଚଳର ରାଜେନ୍ଦ୍ର ଭୋଇ । ଜଗତସିଂହପୁର ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୩୦ତାରିଖ ଦିନ ପୂର୍ବାହ୍ନ ୯ଟା ସମୟରେ ନରଣପୁର ଗାଁର ଅଧ୍ୟାପକ ସଞ୍ଜୟ ମିଶ୍ର ଓ ତାଙ୍କ ପତ୍ନୀ ଘରେ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ରାଜେନ୍ଦ୍ର ସମସ୍ତ ସୁନା ଗହଣା ଚୋରି କରିଥିଲା । ସେଥିରୁ କିଛି ଗହଣା ମଣ୍ଡାସାହି ଠାରେ ଥିବା ଶ୍ରୀବନ୍ତ ସାହୁ ଙ୍କ ଗହଣା ଦୋକାନରେ ବିକ୍ରି କରିଥିଲା । ଅଭିଯୋଗ ପରେ ଜଗତସିଂହପୁର ପୋଲିସ ଚୋରି କରିଥିବା ରାଜେନ୍ଦ୍ର ଭୋଇ ଓ ଚୋରି ଗହଣା କିଣିଥିବା ସୁନା ଦୋକାନୀ ଶ୍ରୀବନ୍ତ ସାହୁକୁ ଗିରଫ କରିବା ସହିତ ସମସ୍ତ ଗହଣା ଜବତ କରିଥିବା କଥା କହିଛି ପୋଲିସ ।