ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମଗ୍ର ରାଜ୍ୟରେ କୋଭିଡ ସଂକ୍ରମଣର ଦ୍ଵିତୀୟ ଲହର ଜାରି ରହିଥିବା ବେଳେ ପ୍ରଶାସନ ଆପଣେଇଛି କଡା ଆଭିମୁଖ୍ୟ । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ୧୭ ତାରିଖ ଠାରୁ ରାତି ୯ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଫଳରେ ଜିଲ୍ଲା ବ୍ୟାପି ସତର୍କ ହୋଇଉଠିଛି ପୁଲିସ , ସହରରେ ଶୁଭୁଛି କେବଳ ପୋଲିସ୍ ସାଇରନ । ରାତ୍ରି ୯ ଘଣ୍ଟା ପୂର୍ବରୁ ସମସ୍ତ ଦୋକାନ ବଜାର ସହ ଗାଡି ମୋଟର ବାଇକ ଚଳାଚଳ ବନ୍ଦ ହୋଇଯିବା ସହ ଶୁନଶାନ୍ ହୋଇପଡୁଛି ରାସ୍ତାଘାଟ । ଜନସାଧାରଣଙ୍କ ବାହାରକୁ ବାହାରିବା ମନା ଯୋଗୁଁ ଚଳଚଞ୍ଚଳ ସହର ସମ୍ପୂର୍ଣ୍ଣ ଭାବେ ଶୁନଶାନ୍ ହୋଇପଡୁଛି । ସମସ୍ତ ଛକ ସ୍ଥାନରେ ଜଗି ରହୁଛନ୍ତି ସୁରକ୍ଷା କର୍ମୀ ।

କରୋନା ମହାମାରୀର ଦ୍ଵିତୀୟ ଲହରକୁ କଡା ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟାତ ବାରଣ କରାଯାଇଛି । ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ସମେତ ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆ ଯାଇଥିବା ବେଳେ ଅମାନିଆଙ୍କୁ ଧରୁଛି ପୋଲିସ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ।

ରାତି ଓ ଦିନର ବିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥରେ ନାକା ଲଗାଯାଇ ଯିବା ଆସିବା କରୁଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି । ଦିନ ବେଳା ସୀମାନ୍ତ ପ୍ରବେଶ ପଥର ପୁରୁନାପାଟନା ଓ ଧାମୁନିଗାଁଁ ନାକାଗେଟ ଠାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡୀ କରାଯିବା ସହ ବାହାରୁ ଆସୁୁୁଥିବା ଲୋକଙ୍କ କୋଭିଡ ଚିହ୍ନଟ ପରିିିକ୍ଷଣ କରାଯାଉଛି । ଦିନ ଓ ରାତିରେ ରାସ୍ତାରେ ପୋଲିସ ପଇଁତରା ମାରି ମାସ୍କ ପିନ୍ଧିବା , ଜନଗହଳିକୁ ଏଡ଼ାଇବା ଓ ନାଇଟ କର୍ଫ୍ୟୁ ଉପରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି ବୋଲି ଏସପି: ଶ୍ରୀ ତପନ କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।