କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗାଁକୁ ରାସ୍ତା ନ ଥିଲା , ଗାଁକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଲୋକେ ଦାବୀ କଲେ । ଆଉ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ସମ୍ପୃକ୍ତ ରାସ୍ତାକୁ ଯୋଜନାରେ ସାମିଲ କଲେ । ଆଉ ଏବେ କାମ ଆରମ୍ଭ ହୋଇଥିବା ବେଳେ କାମ ବନ୍ଦ କରିବା ଲାଗି ଠିକାଦାରଙ୍କୁ ଧମକାଉଛନ୍ତି କେତେକ ଗ୍ରାମବାସୀ । ଫଳରେ ରାସ୍ତାକାମ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଁଗା ବ୍ଲକ ର ବାଞ୍ଜାମାହା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହେଉଛି । ହେଲେ ଏହି ରାସ୍ତା ତିଆରିରେ ଗ୍ରାମର ହାତ ଗଣତି କିଛି ଲୋକଙ୍କ ପଟା ଜମି ଚାଲି ଯାଉଥିବା ଫଳରେ ସେମାନେ ରାସ୍ତାକାମକୁ ବିରୋଧ କରି ବନ୍ଦ କରିବାକୁ ଦାବୀ କରିଛନ୍ତି । ସେହିପରି କାମ ନେଇଥିବା ଠିକାଦାର ଜଣକ କୁଆଡେ ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ ।
ସୂଚନା ଅନୁସାରେ , ବାଞ୍ଜାମାହା ଗ୍ରାମର ଅମ୍ବିକା ପ୍ରଧାନ ଙ୍କ ସ୍ଵାମୀ ସୁବାସ ପଧାନ ଙ୍କ ନାମରେ ଖାତା ନଂ. ୧୭ ଓ ଖାତା ନଂ.୫୩ / ୨ରେ ପଟ୍ଟା ଜମି ରହିଛି । ହେଲେ ଏହି ପଟ୍ଟା ଜମି ଉପର ଦେଇ ରାସ୍ତା ନିର୍ମାଣ ହେଉଥିବାରୁ ଅମ୍ବିକା ଏହାର ବିରୋଧ କରିଥିଲେ । ଠିକାଦାର ତାଙ୍କ କଥା ନଶୁଣି କୁଆଡେ ଓଲଟା ଧମକ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସାରଙ୍ଗଡ଼ ଥାନାରେ ମଧ୍ୟ ତାଙ୍କ ପଟା ଜମି ଉପରେ ରାସ୍ତା କରା ଯାଉଥିବା ନେଇ ଅମ୍ବିକା ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ସାମୁହିକ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆପୋଷ ସମାଧାନ ମାଧ୍ୟମରେ ଘଟଣାର ସମାଧାନ ଜରୁରୀ ବୋଲି ମତ ପ୍ରକାଶ ପାଉଛି l