ସମାଜସେବୀ ବିଶ୍ୱଜିତ୍‌ : ପଶୁପକ୍ଷୀ ସେବାରେ ଯାହାର ମନ ଆଉ ପ୍ରାଣ !!!

0
177

Loading

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ପଶୁପକ୍ଷୀଙ୍କ ସାହାରା ପାଲଟିଛନ୍ତି ବିଶ୍ୱଜିତ୍ . ଦୁନିଆରେ ଏମିତି କିଛି ମଣିଷ ଥାଆନ୍ତି, ଯେଉଁମାନେ ନିଜର ସ୍ୱାର୍ଥକୁ ନୁହେଁ ବରଂ ସାମୁହିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାନ୍ତି । ସାମାଜିକତାର ବାର୍ତ୍ତା ବହନ କରି ସମାଜ ମଙ୍ଗଳ ପାଇଁ ଆଗେଇ ଆସନ୍ତି । ଯେଉଁମାନେ ଏଭଳି ମାନସିକତା ରଖି ବସୁଧୈବ କୁଟୁମ୍ବକମ୍‌ ବାକ୍ୟ କୁ ନିଜ ଜୀବନର ନୀତି ଆଦର୍ଶ କରି ଆଗେଇ ଆସନ୍ତି, ସେମାନଙ୍କୁ କିଛି ମିଳୁ କି ନମିଳୁ ନିଜ କାମରେ ହିଁ ଏକାଗ୍ରତା, ଧ୍ୟାନ ରଖି ଆଗେଇ ଯାଇଥାନ୍ତି । ସେହିଭଳି ଜଣେ ବ୍ୟକ୍ତିତ୍ୱ ହେଲେ ବିଶ୍ୱଜିତ ପଟ୍ଟନାୟକ (ସିଲୁ) । ସେ ବୁଝନ୍ତି ସମାଜ କହିଲେ କେବଳ ମଣିଷ ନୁହେଁ, ସାରା ଜୀବଜଗତ ମଧ୍ୟ ଏଥିରେ ବନ୍ଧା । ସେଥିପାଇଁ ସେ ସାଧାରଣ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସବୁବେଳେ ରହିବା ସହିତ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବେଶ ଚିନ୍ତା ପ୍ରକଟ କରିଥାନ୍ତି । କରୋନା ସମୟରେ କେବଳ ପଶୁପକ୍ଷୀଙ୍କୁ ଖାଦ୍ୟ କି ପାଣି ଯୋଗାଇବା ନୁହେଁ, ସେ ଅବିରତ ଭାବରେ ଦୀର୍ଘଦିନ ଧରି ଏହି କାର୍ଯ୍ୟ କରି ଆସୁଛନ୍ତି । ବିଶେଷ କରି ବର୍ଷାଧିକ କାଳ କରୋନା ତାଡ଼ନାରେ ଯେମିତି ଜୀବଜଗତ ପ୍ରଭାବିତ ହୋଇଛି, କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସେହିଭଳି ଖାଦ୍ୟାଭାବ ଯୋଗୁ ପ୍ରଭାବିତ ହୋଇଛନ୍ତି । ବିଶ୍ୱଜିତ୍ ଏହି ସମୟରେ ପଶୁପକ୍ଷୀଙ୍କ ନିମନ୍ତେ ନିୟମିତ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ନିଜର ମହନୀୟତା ବଜାୟ ରଖିଛନ୍ତି । ସେ ନିଳାଦ୍ରୀ ବିହାର ଅଞ୍ଚଳରେ ରହୁଥିଲେ ସୁଦ୍ଧା, ନିର୍ଦ୍ଦିଷ୍ଟ ସୀମା ସରହଦକୁ ଛାଡ଼ି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ପଶୁମାନଙ୍କୁ ଖାଦ୍ୟ ଯୋଗାଇବା କାମରେ ଲାଗିପଡ଼ିଛନ୍ତି । ଲକ୍‌ଡାଉନ୍ କାରଣରୁ ପଶୁପକ୍ଷୀ ଯେଉଁ ଖାଦ୍ୟ ସମସ୍ୟାରେ ପଡ଼ିଛନ୍ତି, ବିଶ୍ୱଜିତ ଦେବଦୂତ ଭଳି ସେମାନଙ୍କୁ ନିୟମିତ ଓ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଏହି ବନ୍ଦୋବସ୍ତ କରିଥାନ୍ତି । ସେ ପହଞ୍ଚିଲା ମାତ୍ରେ ବୁଲା ଗାଈଗୋରୁ, କୁକୁର ତାଙ୍କ ଚାରିପାଖେ ଘେରି ଯାଆନ୍ତି, ଯେମିତି ଭୋକିଲା ରହିଥିବା ଏହି ଜନ୍ତୁମାନେ ତାଙ୍କୁ ଅପେକ୍ଷା କରି ରହିଥିଲେ । କେବଳ ଏତିକି ନୁହେଁ, ଯିଏ ଯେତେବେଳେ ଯେଉଁ ସାହାଯ୍ୟ ପାଇଁ ହାତ ବଢ଼ାଇଥାନ୍ତି, ସେ ନିଜେ କିମ୍ବା କାହାର ସହଯୋଗରେ ବିପଦ ସମୟରେ ଛିଡ଼ା ହେବାଟା ଥୟ । ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସା ପାଇଁ ହେଉ ଅବା ମେଡ଼ିକାଲ ବେଡ଼୍‌ରେ ପଡ଼ି ରକ୍ତର ଆବଶ୍ୟକତା ପାଇଁ ହେଉ, ସେ ଉତ୍ସର୍ଗୀକୃତ ମନୋଭାବ ନେଇ ସର୍ବଦା ପାଖରେ ଛିଡ଼ା ହୋଇଥାନ୍ତି । ଲୋକଙ୍କୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନ କରି ଆସୁଛନ୍ତି । ଅନେକଦିନ ଧରି ନିଳାଦ୍ରୀ ବିହାର ଯୁବ ଓ ସାଂସ୍କୃତିକ ପରିଷଦ ମାଧ୍ୟମରେ ସାମାଜିକ ନାଟକ ପରିବେଷଣ କରାଇ ସମାଜର ସୁଧାର ଆଣିବା ନିମନ୍ତେ ପ୍ରୟାସ ଜାରି କରୁଛନ୍ତି । ସେ ବିଭିନ୍ନ ପ୍ରିଣ୍ଟ୍ ଓ ବୈଦ୍ୟୁତିକ ଗଣମାଧ୍ୟମ ସହିତ ରହି ସିଟିଜେନ୍ ରିପୋଟର ଭାବରେ ଅନେକ ସମସ୍ୟା, ଅନାଲୋଚିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ସହିତ ସହଯୋଗ ମଧ୍ୟ ସବୁବେଳେ କରି ଆସିଥାନ୍ତି । ନିଜ ଘରର ଛାତ ଉପରେ ମଧ୍ୟ ବିଭିନ୍ନ ପକ୍ଷୀଙ୍କ ବଂଶବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି କରିବା ଓ ସେମାନଙ୍କ ଅବାଧ ବିଚରଣକୁ ସୁରକ୍ଷା ଦେବା ସହିତ ପରିବେଶ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରୁଛନ୍ତି । ସମସ୍ତେ ଏଭଳି ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ଯଦି ଧ୍ୟାନ ଦେବେ, ତାହେଲେ ପରିବେଶ ସନ୍ତୁଳନ ହୋଇପାରିବ ବୋଲି କୁହନ୍ତି ବିଶ୍ୱଜିତ୍ ।

LEAVE A REPLY

Please enter your comment!
Please enter your name here