କୋଭିଡ଼ ପରିସ୍ଥିତି ସମୟରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ଼ କାଳରେ ଗୋଶାଣି ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ ଓ ସାନକୁତୁରୁ ଗ୍ରାମର ଦୁଇ ଗୋଟି ପରିବାରର ଚାରିଗୋଟି ଅନାଥ ଶି ଶୁଙ୍କୁ ସେମାନେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବା ସହ ପିଲାଙ୍କର ଭବିଷ୍ୟତକୁ ଗଢି ତୋଳିବାର ପ୍ରତିଶ୍ରୁତି ଦେଇ ଫେରିଛନ୍ତି ।

ଏହି ଅବସରରେ ଜିଲ୍ଲାପାଳ ପ୍ରତି ପରିବାର ପିଛା ରେଡ଼କ୍ରସ ଫଣ୍ଡରୁ ଦଶ ହଜାର ଟଙ୍କା ଲେଖାଏଁ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା , ଯୋଗ୍ୟ ପରିବାରଙ୍କୁ ବିଜୁପକ୍କା ଘର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବୀମା ଏବଂ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପେସେଜ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଦ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଆଶୀର୍ବାଦ ଯୋଜନା ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟକୁ ଗ୍ରାମ୍ୟ ସ୍ତରରେ ସରପଞ୍ଚ ଏବଂ ଅଙ୍ଗନବାଡି କର୍ମୀ ସମ୍ପାଦନ କରୁଥିବା ବେଳେ ପଞ୍ଚାୟତ ସମିତି ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ ସମିତି ଏବଂ ଚାଇଲଡ଼ ଲାଇନ ଦାୟିତ୍ୱ ନେଇଛନ୍ତି ।

ଆଜି ସୁଦ୍ଧା ଜିଲ୍ଲାରେ 8 ଜଣ ଅନାଥ ଶିଶୁ ଚିହ୍ନଟ ହୋଇଥିଲା ବେଳେ 209 ଜଣ ଏକକ ଅଭିଭାବକ ଶିଶୁ ଚିହ୍ନଟ ହୋଇଛନ୍ତି । ଯେଉଁ ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନାଥ ଶିଶୁ ମାନଙ୍କୁ ମାସକୁ 2500 ଟଙ୍କା ଲେଖାଏଁ ଏବଂ ଏକକ ଅଭିଭାବକ ଶିଶୁଙ୍କୁ ମାସିକ 1500 ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କରାଯିବ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ତାଟିପେଟି ଓ ଗୁରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *