ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ର ଦୁଇଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ତହସିଲଦାର ଓ ବିଡ଼ିଓଙ୍କ ବଦଳି ପରେ ଏହି ପଦବୀ ଦ୍ୱୟରେ କାହାରିକୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ . ଦାନଗଦି ବ୍ଲକ ର ଦୁଇଜଣ ପ୍ରଶାସନିକ ଅଧିକାରୀ ଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଥିବାରୁ ସୁକିନ୍ଦା ପ୍ରଶାସନ ଏବେ କାମ ଚଳାରେ ଚାଲୁଥିବା ଦେଖିବାକୁ ମିଳିଛି l ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ରାଜ୍ୟ ସରକାର କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗରେ ନିଲମ୍ବନ କରିବା ପରେ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆନଯାଇ ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତଙ୍କୁ ଅସ୍ଥାୟୀ ଭାବେ କାର୍ଯ୍ୟଭାର ଅର୍ପଣ କରାଯାଇଛି l ଅନୁରୂପ ଭାବେ ସୁକିନ୍ଦା ବିଡ଼ିଓ. ଡ.ବିଶ୍ୱଜିତ ଦାସ ପଦୋନ୍ନତି ପାଇ କଳାହାଣ୍ଡି ଜିଲା ଭବାନୀପାଟଣାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ତାଙ୍କ ସ୍ଥାନରେ ମଧ୍ୟ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ l ଦାନଗଦି ବିଡ଼ିଓ ଡା.ମଣିପ୍ରସାଦ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଦାୟିତ୍ୱ ଅର୍ପଣ କରାଯାଇଛି l ସମସ୍ୟା ବହୁଳ ସୁକିନ୍ଦାରେ ପ୍ରଶାସନିକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସ୍ଥାୟୀ ତହସିଲଦାର ଓ ବିଡ଼ିଓଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି l