ବାଙ୍କୀ ଡବଲ ମର୍ଡର ଘଟଣା : ୧୮ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ !!!

Spread the love

ଚନ୍ଦକା ଅଞ୍ଚଳରେ ଲୁଚି ରହିଥିଲା ଅଭିଯୁକ୍ତ ପାଣ୍ଡବ ପ୍ରଧାନ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ୧୮ ମାସ ଧରି ପୁଲିସ କୁ ଚକମା ଦେଇ ଫେରାର ଥିଲା ବହୁ ଚର୍ଚ୍ଚିତ ଡବଲ ମର୍ଡର କେଶ ର ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନ . ଶେଷରେ ତଦନ୍ତକାରୀ ସଂସ୍ଥା ହାତରେ ଧରା ପଡିଲା ପାଣ୍ଡବ ପ୍ରଧାନ . ଦୀର୍ଘ ଦିନ ଧରି ଫେରାର ଥିବା ହତ୍ୟାକାଣ୍ଡ ଅଭିଯୁକ୍ତ ପାଣ୍ଡବ ପ୍ରଧାନକୁ ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଗୋଟିଏ ଆପାର୍ଟମେଣ୍ଟ୍‌ରେ ଲୁଚି ରହିଥିବା ସମୟରେ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ସ୍ୱାଇଁ ଙ୍କ ନେତୃତ୍ୱରେ ଚଢ଼ାଉ କରି ଗିରଫ କରାଯାଇଛି ।

ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଥାନା ଅନ୍ତର୍ଗତ ନୂଆଗାଁ ଖଜୁରୀପଦା ଡବଲ ମର୍ଡର ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନଙ୍କୁ ସୋମବାର ରାତିରେ ତଦନ୍ତକାରୀ ଅଧିକାରୀ ତଥା ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀ ବାସୁଦେବ ସ୍ୱାଇଁ ଙ୍କ ନେତୃତ୍ୱରେ ପୁଲିସ ଟିମ ଗିରଫ କରିଛନ୍ତି । ୨୦୨୦ମସିହା ଫେବ୍ରୁଆରି ୧୫ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ନୂଆଗାଁ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସାମାଜିକ କର୍ମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଥିଲେ ୧୫ ରୁ ଅଧିକ ଦୁର୍ବୁତ୍ତ . ବାଙ୍କୀ ଥାନା କେଶ ନମ୍ବର ୪୯ / ୨୦ ରେ ମକଦ୍ଦମା ରୁଜୁ କରି ୧୮ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ପୁଲିସ । ଏହା ପୂର୍ବରୁ ୧୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସମୟରେ , ଜଣେ ଅଭିଯୁକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିସାରିଛି । ଘଟଣାରେ ସମ୍ପୃକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଅଭିଯୁକ୍ତ ପାଣ୍ଡବ ପ୍ରଧାନ ଗିରଫ ହୋଇ ନଥିବାରୁ ପୁଞ୍ଜୀଭୂତ ଅସନ୍ତୋଷ ବଢ଼ିବାରେ ଲାଗିଥିଲା . ଏପରିକି ଅଭିଯୁକ୍ତକୁ ଗିରଫ କରାନଗଲେ , ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଥିଲେ ପିଡୀତଙ୍କ ପରିବାର ଲୋକେ . ତେବେ ଗତ କାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଗୋଟିଏ ଆପାର୍ଟମେଣ୍ଟ୍‌ରେ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନ ଲୁଚି ରହିଥିବା ସମୟରେ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ସ୍ୱାଇଁ ଓ ତଦନ୍ତ କରି ଦଳ କୌଣସି ସୂତ୍ରରୁ ଖବର ପାଇ  ସେଠାକୁ ଯାଇ ତାକୁ ଗିରଫ କରିଥିଲେ । ଆଜି ଅଭିଯୁକ୍ତ ପାଣ୍ଡବ ପ୍ରଧାନର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଥିଲା । ମାନ୍ୟବର ଅଦାଲତ ଜାମିନ ଖାରଜ କରିବା ପରେ ପାଣ୍ଡବକୁ ବାଙ୍କୀ ଉପ-କାରାଗାର କୁ ପଠାଯାଇଛି ।

ସୂଚନା ଯୋଗ୍ୟ ୨୦୨୦ଫେବୃଆରୀ ୧୫ତାରିଖରେ ନୂଆଗାଁ ସରପଞ୍ଚ ଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ସାମ୍ବାଦିକ ଆଦିତ୍ୟ ରଣସିଂହ ବାଙ୍କୀ ବ୍ଲକରେ ନିଜର କାର୍ଯ୍ୟ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଜୋକଲାଞ୍ଜି ଠାରେ ରାଜନୈତିକ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ନୂଆଗାଁ ଖଜୁରିପଦା ର କିଛି ଲୋକ ସଂଘବଧ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସାମ୍ବାଦିକ ଆଦିତ୍ୟ ର ମୃତ୍ୟୁ ହୋଇଥିବା ବେଳେ ଭଗବାନଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ହସ୍ପିଟାଲ ଚିକିତ୍ସା ପାଇଁ ନିଆ ଯାଇଥିଲା . କଟକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଙ୍କୀ ରୁ କଟକ ହସ୍ପିଟାଲ ଯିବା ବାଟରେ ଭଗବାନ ଅତି କ୍ଷୀଣ ସ୍ୱର ରେ ଅଭିଯୁକ୍ତ ଙ୍କ ନାମ କହିଥିଲେ , ମୃତ୍ୟୁ କାଳୀନ ଜମାନ ବନ୍ଦୀ ଙ୍କୁ ଆଧାର କରି ତତ୍କାଳୀନ ବାଙ୍କୀ ଉପଖଣ୍ଡ ପୋଲିସ ଅଧକାରୀ ପ୍ରସନ୍ନ କୁମାର ବିଶ୍ଵାଳ ଓ ଆଲୋକ ରାୟ ୧୫ଜଣଙ୍କୁ ଗିରଫ କରିଥିଲେ । ୧୫ ଜଣଙ୍କ ମଧ୍ୟରୁ ଜଣେ ଆସାମୀ ଜାମିନ ନାମଞ୍ଜୁର ହୋଇ ବାଙ୍କୀ ଉପକାରାଗାର କୁ ଗଲାବେଳେ ବାଟରେ ମୃତ୍ୟୁ ବରଣ କରିଥିଲା ।ସୋମବାର ଦିନ ପୋଲିସ ର ସ୍ୱତନ୍ତ୍ର ଦଳ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ତତ୍ୱାବଧାନରେ ଚନ୍ଦକା ଅଞ୍ଚଳ ରୁ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ଙ୍କୁ ଗିରଫ କରିଛି । ପୋଲିସ ପକ୍ଷରୁ ଅନ୍ୟ ଦୁଇ ଅଭିଯୁକ୍ତ ଙ୍କୁ ଖୋଜା ଯାଉଛି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *