ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜବାବ ମାଗିଲେ ଯୁବ କଂଗ୍ରେସ କର୍ମକର୍ତ୍ତା
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେଡିର ସମ୍ବର୍ଦ୍ଧନା ସଭାରେ ସରକାରୀ କର୍ମଚାରୀ . ସେ ପୁଣି ଶିକ୍ଷା ବିଭାଗର କାର୍ଯ୍ୟରତ ଶିକ୍ଷକ . ବାଙ୍କୀ ବିଜେଡି କାର୍ଯ୍ୟାଳୟରୁ ଫ୍ରେମ ହୋଇ ହ୍ଵାଟ୍ସଆପ ଗ୍ରୁପ ରେ ଘୁରି ବୁଲୁଥିବା ଏ ଫଟୋ ଟି ଏବେ ସାମାଜିକ ଗଣମାଧ୍ୟମରେ ଜବରଦସ୍ତ ଟ୍ରେଣ୍ଡ କରୁଛି . ସୋସାଲ ମିଡ଼ିଆ ରେ କିଏ ତାଙ୍କୁ ଶାସକ ଦଳର ସମର୍ଥକ କହୁଛି ତ ଆଉ କିଏ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ଭକ୍ତ . ବାଙ୍କୀ ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ସଭାପତିଙ୍କ ସମ୍ବର୍ଦ୍ଧନା ସଭାରେ ଚୌକି ମଣ୍ଡନ କରି ଏବେ ହରଡ଼ଘଣାରେ ପଡିଛନ୍ତି ଶିକ୍ଷକ ଗଣେଶ୍ୱର ସ୍ୱାଇଁ . କଟକ ଜିଲ୍ଲା ଯୁବ ଜନତା ଦଳ ଶାଖାର ଡମପଡା ବ୍ଲକ ସଭାପତି ଭାଗିରଥି ପାଣି ଏବଂ ବାଙ୍କୀ ଏନଏସି ସଭାପତି ପଠାଣି ବେହେରାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ ସମୟରେ ପୁରା ନେତା ଠାଣିରେ ବସିଥିଲେ ଶିକ୍ଷକ ମହାଶୟ , ସଭାରେ ସରକାରୀ କର୍ମଚାରୀଙ୍କର କଣ କାମ ବୋଲି ପ୍ରଶ୍ନ ଉଠାଇଛି ବାଙ୍କୀ ଯୁବ କଂଗ୍ରେସ . ଏପରିକି ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସମ୍ପୃକ୍ତ ଶିକ୍ଷକ ଗଣେଶ୍ୱର ସ୍ୱାଇଁଙ୍କୁ ନିଲମ୍ବନ ପାଇଁ ଏକ ପ୍ରେସ ବିବୃତ୍ତିରେ ଦାବୀ କରିଛି .

ବିବାଦ ପିଛା ଛାଡ଼ୁନି , ବାଙ୍କୀ ବିଜେଡି ପାଇଁ ଏବେ ବୋଧେ ବେଳ କାଳ ଭଲ ନାହିଁ . ମନରେଗା ଦୁର୍ନୀତିକୁ ନେଇ ବିରୋଧୀଙ୍କ ନିଶାନା ରୁ ଆରମ୍ଭ କରି , ଦଳୀୟ ସମର୍ଥନରେ ସରପଞ୍ଚ ହୋଇଥିବା ନେତାଙ୍କର କେଳେଙ୍କାରୀ କାରଣରୁ ଗଣମାଧ୍ୟମର ହ୍ୟାଙ୍ଗର ଷ୍ଟୋରୀ ପର୍ଯ୍ୟନ୍ତ ସବୁଠି ଶୀର୍ଷରେ ଅଛି ବାଙ୍କୀ ବିଜେଡି . ଡମପଡା ବ୍ଲକ କୁସୁପଙ୍ଗି ପଞ୍ଚାୟତର ଅସୀତ ଜେନା ପୋତିଥିବା ବିବାଦର ମଞ୍ଜି ଏବେ ଗଜା ହୋଇଗଲାଣି . ଗୋଟିଏ ଅଧ୍ୟାୟ ଟିକେ ଥମିବା ବେଳକୁ ସାମନାକୁ ଆସୁଛି ଆଉ ଏକ ନୂଆ କେଳେଙ୍କାରୀ . ଏବେ ଯେଉଁ ନୂଆ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ତାହା ହେଉଛି , ବାଙ୍କୀ ବିଜେଡିର ଏକ ସମ୍ବର୍ଦ୍ଧନା ସଭାର ଫଟୋ . ଜଣେ ସରକାରୀ ସ୍କୁଲ ଶିକ୍ଷକ ଯୁବ ବିଜେଡି ସଭାରେ ମଞ୍ଚାସୀନ ହେବା ପରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ . ସମ୍ପୃକ୍ତ ଶିକ୍ଷକ ଜଣକ ବାଙ୍କୀ ନିର୍ବାଚନ ମଣ୍ଡଳୀ କଳାପଥର ପଞ୍ଚାୟତ ପର୍ଶୁରାମପୁର ଗ୍ରାମର ବାସିନ୍ଦା ଗଣେଶ୍ୱର ସ୍ୱାଇଁ . ମହାଶୟଙ୍କର ନାଁ ପୂର୍ବରୁ ଡଜନେ ଡେଜିନେସନ . କେତେବେଳେ ଶିକ୍ଷକ , ତ ଆଉ କେତେବେଳେ ପ୍ରବଚକ . ପୁଣି କେତେବେଳେ ବାଙ୍କୀ ମହୋତ୍ସବର ସାଧାରଣ ସମ୍ପାଦକ ତ ଆଉ କେତେବେଳେ ଆଡ଼ଭୋକେଟ . ବିଭିନ୍ନ ସଭା ସମିତିରେ ଡକ୍ଟର ର ସମ୍ବୋଧନ , ଆଉ ପୁଣି ବିଭିନ୍ନ ଜାଗାରେ ସ୍ୱର୍ଗତ ଶୁକଭୋଇ ଙ୍କର ନାତି ଆଉ ସଂଗ୍ରହାଳୟର ପ୍ରତିଷ୍ଠାତା ର ଉପାଧି . ବାଙ୍କୀ ବିଧାୟକ ଆଉ ପୂର୍ବତନ ବିଧାୟକ ମୁଖ୍ୟ ଅତିଥି ହୋଇଥିବା ସଭାରେ ଆଉ ମୁଖ୍ୟ ଵକ୍ତାଙ୍କର ନାଁ ଖୋଜିବାକୁ ପଡ଼େନି , ମାଷ୍ଟ୍ରେ ସେ ପୋଷ୍ଟ ର କପି ରାଇଟ କରି ନେଇଛନ୍ତି . ସରକାରୀ ସ୍କୁଲ ରେ ଶିକ୍ଷକତା କରୁଥିଲେ ମଧ୍ୟ ଅସଲ କାମ ହେଲା ବାଙ୍କୀ ବିଜେଡିର ଅଘୋଷିତ ମୁଖପାତ୍ର . ଶିକ୍ଷକ ଚାକିରୀ କରି ଦରମା ଗଣ୍ଡାକ ହାତଉ ଥିଲେ ବି ବିଜେଡି ଚାଳିଶା ଗାଇବାରେ ସିଦ୍ଧହସ୍ତ . ବିଭିନ୍ନ ଦଳୀୟ ସଭାରେ ବିଜେଡି ଚାଳିଶା ସାଙ୍ଗକୁ ପ୍ରଭାତ ବନ୍ଦନା ଗାଇ ଦଳୀୟ ଶୀର୍ଷ ନେତାଙ୍କୁ ଏମିତି ପ୍ରୀତ କରି ରଖିଛନ୍ତି ଯେ , ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଭୟ ନାହିଁ . ସ୍କୁଲ ଆଟେଣ୍ଡାନ୍ସ ଖାତାରେ ଗଡୁଛି ଦସ୍ତଖତ , ହେଲେ ଓର ଉଣ୍ଡି ସବୁ ସଭା ସମିତିରେ ହାଜର . ଆଉ ପୂର୍ବତନ ବିଧାୟକ ମହାଶୟ ଯେତେବେଳେ ତାଙ୍କୁ ସର୍ବ ସମକ୍ଷରେ ପଣ୍ଡିତ ଜୀ କହି ଡାକି ଦିଅନ୍ତି , ଛାତି ତାଙ୍କର ମୋଦୀ ଙ୍କ ଠାରୁ ଆଉ ୧ ଇଞ୍ଚ ଅଧିକ ଚଉଡା ମାନେ ପୁରା ସତାବନ ଇଞ୍ଚ ହୋଇଯାଏ . ହେଲେ ସବୁ ବେଳ ସମାନ ଯାଏନି . ଏହି ପ୍ରୋ-ବିଜେଡି ଶିକ୍ଷକ ଙ୍କୁ ଏବେ ମାଡି ବସିଛି ବିପଦ . ଦଳୀୟ ସମ୍ବର୍ଦ୍ଧନା ସଭାରେ ନେତା ଠାଣିରେ ବସିବା ନେଇ ଆସିଛି ଅଭିଯୋଗ . ବାଙ୍କୀ ଯୁବ କଂଗ୍ରେସ ତରଫରୁ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି . ଘଟଣା ଦୁର୍ଘଟଣା କୁ ନେଇ ବ୍ୟାଙ୍କ ଫୁଟ ରେ ଥିବା ବାଙ୍କୀ ବିଜେଡି ସଭାରେ ପ୍ରେଜେଣ୍ଟ ସାର କହି ଏବେ ଅଡୁଆରେ ପଡିଛନ୍ତି ସ୍କୁଲ ମାଷ୍ଟ୍ରେ .

