ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ତଳୀର ସର୍ବବୃହତ ପଞ୍ଚାୟତ ହେଉଛି ଡମପଡା ବ୍କକର ତାଳବସ୍ତ ଗ୍ରାମ । ଶିକ୍ଷାର ପ୍ରସାର ଏବଂ ଗାଁ ପାଖରେ ପିଲାମାନଙ୍କର ସହଜ ଗମନାଗମନର ସୁବିଧା ପାଇଁ ସମୟ କ୍ରମେ ତିନୋଟି ଉଚ୍ଚ ବିଦ୍ୟାଳୟ ପଦନପୁର, ତାଳବସ୍ତ ଏବଂ ସାମନ୍ତରାପୁରରେ ପ୍ରତିଷ୍ଠା ହୋଇଥିଲା । ୧୯୬୪ ମସିହାରେ ସମାଜସେବୀ ସ୍ୱର୍ଗତ ବାନାମ୍ବର ନାୟକ ଓ ଶିକ୍ଷାବିତ୍ କୃପାସିନ୍ଧୁ ବେହେରାଙ୍କ ପରି କିଛି ବ୍ୟକ୍ତିଙ୍କ ଉଦ୍ୟମରେ ନିର୍ମିତ ହୋଇଥିଲା ଏବେର ତାଳବସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ । ଏହାରି କୋଳରେ ବହୁ ଯୋଗଜନ୍ମା ମଣିଷ ତିଆରି ହୋଇଛନ୍ତି । ଉନ୍ନତ ଶିକ୍ଷାପାଇଁ ବହୁ ସୁନାମ ମୁଣ୍ତେଇଥିବା ବିଦ୍ୟାଳୟ ଆଜି ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କ ଠାରୁ ବହୁ ପଛରେ ପଡିଛି । ୫୭ ବର୍ଷର ବିଦ୍ୟାଳୟରେ ଆଜି ଏନ୍.ସି.ସି. ବିଭାଗ , ହଷ୍ଟେଲ , ଭଲ ପାଠାଗାର ନାହିଁ । ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ଧନ୍ଦାମୂଳକ ଶିକ୍ଷା ସହିତ କଂପ୍ୟୁଟର କେନ୍ଦ୍ର ଥିଲେ ମଧ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ତମ ପରିବେଶର ଅଭାବ ପାଇଁ ଆଗ୍ରହ ନାହିଁ । ଯଦିଓ ଦଶମ ପରୀକ୍ଷା ପାଇଁ କିଛିବର୍ଷ ହେବ ପରୀକ୍ଷା କେନ୍ଦ୍ର କରାଯାଉଛି କିନ୍ତୁ ଆନୁସଙ୍ଗିକ ଭିତ୍ତିଭୁମି ବହୁତ ଦୁର୍ବଳ । ବିଦ୍ୟାଳୟର ପରିଚାଳନା କମିଟି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଦ୍ୱାରା ପରିଚାଳିତ ହେଉଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଏକଛତ୍ରବାଦ କାର୍ଯ୍ୟ ଚାଲିଛି । ବିଦ୍ୟାଳୟର ସହକର୍ମି ମାନେ ନିଜ ଉପରେ ବିପଦ ପଡିବାର ଭୟରେ ମୁହଁ ଖୋଲୁ ନଥିବାର ଜଣାପଡୁଛି । ସରକାରଙ୍କ ତରଫରୁ ଆସୁଥିବା ବିଦ୍ୟାଳୟ ଉନ୍ନତିକରଣ କାମରେ ଵହୁତ ଆର୍ଥିକ ଅନିୟମିତତା ହେଉଛି ।କିଛି ବର୍ଷତଳେ ଆସିଥିବା ବୃକ୍ଷରୋପଣ ଟଙ୍କା ହଡପ ହୋଇଥିଲା , ଅଳ୍ପ ସଂଖ୍ୟକ ଗଛ ଲଗେଇ ଦେଇ । କୋଭିଡି ୧୯ ମହାମାରୀ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫକିର କୁମାର ମିଶ୍ର ଜଟିଳ ରୋଗରେ ପଡି ଦୁଇମାସ ମେଡିକାଲରେ ରହିଥିଲେ । ଭଲ ହୋଇ ଆସିବାର କିଛିଦିନ ପରେ ପୁନର୍ବାର ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ରାଜଧାନୀର ଏକ ପ୍ରମୁଖ ଚିକିତ୍ସାଳୟରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଜଣେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାରମ୍ବାର ନିଜ ଦେହ ଖରାପ ପାଇଁ ଅନୁପସ୍ଥିତ ରହୁଥିଲେ ମଧ୍ୟ କିପରି ଶିକ୍ଷାବିଭାଗରୁ ମାସିକ ୯୦ ହଜାର ଟଙ୍କା ଦରମା ଉଠାଣ କରୁଛନ୍ତି ତାହା ଅବିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଦ୍ୟାଳୟ କାର୍ଯ୍ୟାଳୟର ଗୁରୁତ୍ବପୁର୍ଣ୍ଣ କାମ ପାଇଁ ବାଧ୍ୟ ବାଧକତାରେ ତାଳବସ୍ତରୁ ଷାଠିଏ କି.ମି.ରାଜଧାନୀ ଯାଇ ମେଡିକାଲରୁ ପ୍ରଧାନଶିକ୍ଷକଙ୍କ ଦସ୍ତଖତ ଆଣିବାକୁ ପଡୁଛି । ପ୍ରଧାନ ଶିକ୍ଷକ ଛୁଟିରେ ରହି ଦରମା ନେବା ସହିତ କାହିଁକି ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକଙ୍କୁ କାମଚଳା ପ୍ରଧାନଶିକ୍ଷକର ଦାୟିତ୍ୱ ଦେଉ ନାହାନ୍ତି ତାହାର ସନ୍ତୋଷଜନକ ଉତ୍ତର ତାଙ୍କଠାରୁ ମିଳି ପାରୁନାହିଁ । ଘଟଣାର ଅଧିକ ସତ୍ୟତା ଓ ସଚେତନ ପାଇଁ ସାମାଜିକ କର୍ମୀ ସନ୍ତୋଷ ସାହୁ ଜିଲ୍ଲା ଶିକ୍ଷା ଅଧିକାରଙ୍କ ସୂଚନା ଅଧିକାର ର ଦ୍ୱାରସ୍ଥ ହୋଇଛନ୍ତି ।
ନାହିଁ ନାହିଁ ରେ ଚାଲିଛି ତାଳବସ୍ତ ଅଞ୍ଚଳର ଶିକ୍ଷାନୁଷ୍ଠାନ !!!

