ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଘଟଣ ର ଖବର ସଂଗ୍ରହ କରୁ କରୁ ନିଜେ ହେଲେ ଦୁର୍ଘଟଣାର ଶୀକାର . ଆଉ ନାହାନ୍ତି ସାମ୍ବାଦିକ ଅରିନ୍ଦମ ଦାସ . ମହାନଦୀରେ ଫସି ରହିଥିବା ହାତୀ କୁ ଘଉଡାଇବା ପାଇଁ ଯାଇଥିବା ଓଡ୍ରାଫ ଟିମ ସହ ନଦୀ ଭିତରକୁ ଯାଇଥିବା ସାମ୍ବାଦିକ ଅରିନ୍ଦମ ଦାସ ଦୁର୍ଘଟଣାର ଶୀକାର ହୋଇ ମୃତ . ସୂଚନା ଅନୁଯାୟୀ ମହାନଦୀ ପାର ହେଉଥିବା ହାତୀ ଦଳ ମଧ୍ୟରୁ ଗୋଟିଏ ହାତୀ ନଦୀ ଭିତରେ ଫସି ରହିବା ପରେ ହାତୀକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ . ସ୍ଥାନୀୟ ଓଡ୍ରାଫ ଟିମ ର ଏକ ବୋଟ ରେ କର୍ମଚାରୀ ମାନେ ନଦୀ ଭିତରକୁ ଯାଇ ହାତୀକୁ କୁଳ ଆଡକୁ ଘଉଡାଇବାକୁ ଚେଷ୍ଟା କରିଥିଲେ .

ମହାନଦୀରେ ହାତୀ ଫସି ରହିବା ଘଟଣା ଶୁଣି , ଖବର ସଂଗ୍ରହ ପାଇଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ସେଠାରେ ପହଞ୍ଚିଥିଲେ . ତେବେ ଓଡ୍ରାଫ ଟିମ ର ବୋଟ ରେ ନଦୀ ଭିତରକୁ ଯାଇଥିଲେ ଓ ଟିଭି ର ସାମ୍ବାଦିକ ଅରିନ୍ଦମ ଦାସ ଏବଂ ତାଙ୍କର ସହଯୋଗୀ କ୍ୟାମେରା ମ୍ୟାନ ପ୍ରଭାତ . ହେଲେ ଅଘଟଣ ଯେମିତି ଅପେକ୍ଷା କରି ରହିଥିଲା . ମହାନଦୀର ପ୍ରଖର ସ୍ରୋତରେ ବୋଟ ଟି ଓଲଟି ପଡିଥିଲା . ଗୁରୁତର ଅବସ୍ଥାରେ ଅରିନ୍ଦମ ଏବଂ ତାଙ୍କର ସହଯୋଗୀଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା . ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସାମ୍ବାଦିକ ଅରିନ୍ଦମ ଦାସ .

