ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ନୂତନ ଭାବେ ଗଢି ଉଠିଥିବା ସ୍ଵାମୀ ବିବେକାନନ୍ଦ ସେବା ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସୋଲରୀ ଠାରେ ବୃକ୍ଷ ରୋପଣ କରିଥିଲେ । ଦିନକୁ ଦିନ ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଗଛ ଲଗାଇ ପରିବେଶକୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଇଛି । ଏହା ସହିତ ଏଭଳି କାର୍ଯ୍ୟରେ ଅଧିକରୁ ଅଧିକ ଯୁବକ ମାନଙ୍କୁ ଯୋଡିବା ପାଇଁ ଉଦ୍ୟମ କରାଯାଉଛି । କରୋନା ସମୟରେ ଗଢି ଉଠିଥିବା ଏହି ସଂଗଠନର ପ୍ରଥମ କାର୍ଯ୍ୟ ଭାବେ ଏକ ରକ୍ତଦାନ ଶିବିର କରାଯାଇଥିଲା । କରୋନା ସଂକ୍ରମଣ ଉପର ମୁହାଁ ଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଏହି ସଂଗଠନର ସଦସ୍ୟ ମାନେ ରକ୍ତଦାନ କରି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରଶଂସା ସାଉଣ୍ଟିଥିଲେ ।

ତେବେ ବୃକ୍ଷ ରୋପଣ କରି ପରିବେଶକୁ ରକ୍ଷା କରିବା ପାଇଁ ସ୍ଵାମୀ ବିବେକାନନ୍ଦ ସେବା ସଂଗଠନ ଅଣ୍ଟା ଭିଡିଛି । ଆଗାମୀ ଦିନରେ ବୃକ୍ଷରୋପଣ କୁ ବ୍ୟାପକ କରାଯିବା ସହ ଅଞ୍ଚଳରେ ସାମାଜିକ କାର୍ଯ୍ୟ କରିବା ପାଇଁ ସଂଗଠନ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମ ଅବସରରେ ପାଖାପାଖି ୧୦୦ ଟି ବୃକ୍ଷ ରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିଦ୍ୟୁତ କୁମାର କାଣ୍ଡି, ଉପସଭାପତି ଶ୍ରୀକାନ୍ତ ପଲାଇ, ସମ୍ପାଦକ ଶିବ ପ୍ରସାଦ ବଳିୟାରସିଂହ, ଉପଦେଷ୍ଟା ସୁମିତପ୍ରଜ୍ଞ ଷଡଙ୍ଗୀ, ନରେଶ ଜେନା, ଟି. ମୋହନ ଦାସ, ପ୍ରଦୀପ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ।

