ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜାଦି କା ଅମୃତ ମହୋତ୍ସବ ଏବଂ ସ୍ୱର୍ଣ୍ଣିମ ବିଜୟ ବର୍ଷ ନିମନ୍ତେ ଚାଲିଥିବା ଉତ୍ସବର ଏକ ଅଂଶବିଶେଷ ଭାବରେ ୪ ଜଣ ନାଭାଲ୍ ପର୍ସନାଲ, ଭେଟେରାନ୍ସ କ୍ଲବ୍ ଅଫ ଓଡ଼ିଶା ର ୪ ଜଣ ଭେଟେରାନ ଓ ଜଣେ ଯୋଗଚାର୍ଯ୍ୟ ପ୍ରାଚୀନ ନଦୀ ‘ପ୍ରାଚୀ’ ରେ ଏକ ଜଳଯାତ୍ରା ସଫଳତାର ସହ ସମାପ୍ତ କରିଛନ୍ତି । ନାଭାଲ ଅଧିକାରୀ-ଇନ୍-ଚାର୍ଜ (ଓଡିଶା) ଙ୍କ ତରଫରୁ ସାମଗ୍ରୀ ଏବଂ ପ୍ରଶାସନିକ ସହାୟତା ଦ୍ୱାରା ଉକ୍ତ ଜଳଯାତ୍ରାକୁ ଭାରତୀୟ ନୌସେନା ଏବଂ ଭେଟେରାନ୍ସ କ୍ଲବ୍ ଅଫ୍ ଓଡିଶା ମିଳିତ ଭାବେ ସଂଯୋଜନା କରିଥିଲା ।

ଉକ୍ତ ନୌଯାତ୍ରା କୁ ଅକ୍ଟୋବର ୧୮ ତାରିଖରେ ସାନ ମୁଣ୍ଡୁଳିରୁ ନେଭି ଫାଉଣ୍ଡେସନର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଏନଏମ, ଭିଏସଏମ, କମ୍ରେଡ଼ ଦିନବନ୍ଧୁ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ନୌଯାତ୍ରା ସମୟରେ ଡ଼ଙ୍ଗାଟି ଐତିହାସିକ ପ୍ରାଚୀ ନଦୀ କୂଳରେ ଥିବା ବିଭିନ୍ନ ଘାଟଗୁଡ଼ିକୁ ଅତିକ୍ରମ କରିଥିଲା । ଦୁଇ ଦିନିଆ ଏହି ଜଳଯାତ୍ରା ଦ୍ୱାରା ବଙ୍ଗୋପସାଗରକୁ ଯାଇଥିବା ପ୍ରାଚୀ ନଦୀର ଐତିହାସିକ ବାଣିଜ୍ୟ ମାର୍ଗକୁ ପୁନଃ ପରିଦର୍ଶନ କରିବାକୁ ଲକ୍ଷ୍ୟ ରଖା ଯାଇଥିଲା । ବିଶେଷ କରି ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଏବଂ ମହତ୍ୱ ବିଷୟରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅକ୍ଟୋବର ୧୯ ତାରିଖ ଦିନ ପୁରୀ ଜିଲ୍ଲାର ବାଲେଶ୍ୱର ମନ୍ଦିର ଠାରେ ଏହି ନଦୀ ଯାତ୍ରା ଶେଷ ହୋଇଥିଲା ଯେଉଁଠାରେ ପ୍ରାଚୀ ନଦୀ ବଙ୍ଗୋପସାଗର ସହ ମିଶୁଛି । ତେବେ ସେଠାରେ ଉକ୍ତ ନୌଯାତ୍ରା ଟିମକୁ ନାଭାଲ ଅଫିସର ଇନଚାର୍ଜ (ଓଡିଶା) କମ୍ରେଡ଼ ଏନ. ପି ପ୍ରଦୀପ ପାଛୋଟି ନେବା ସହ ସେମାନଙ୍କ ସ୍ୱାଗତ ସତ୍କାର କରିଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା ମଧ୍ୟ ଉପସ୍ଥିତ ଥିଲେ ଏବଂ ନୌଯାତ୍ରା ଟିମ ସହ ବିଭିନ୍ନ ଆଲୋଚନା କରିଥିଲେ .

