କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ : ଚିଲିକାର ସମସ୍ୟାକୁ ନେଇ ରଖିଲେ ପ୍ରତିକ୍ରିୟା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତକାଲି ନୂତନ ଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗ ଦେବାପରେ ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଏକାଧିକ ବୈଠକ କରି ଜିଲ୍ଲାର ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର । ତେବେ ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ପ୍ରାଥମିକତା କଣ ରହିବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ଚିଲିକା ଗସ୍ତରେ ଆସିବେ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ସମସ୍ୟାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି କହିଥିଲେ । ବାଣପୁର ଓ ବାଲୁଗାଁ ଏନଏସି ରେ ଡ୍ରେନେଜ ସମସ୍ୟା, ଷ୍ଟ୍ରିଟ ଲାଇଟ ସମସ୍ୟା, ବାଣପୁର ସବ ରେଜିଷ୍ଟ୍ରର ପଦବୀ ପୂରଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପୋଲିସ ଥାନାରେ ସାଧାରଣ ଜନତା ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆମ ପ୍ରତିନିଧିଙ୍କ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପୋଲିସ ଥାନାରେ ଟ୍ୱିଟର ହ୍ୟାଣ୍ଡଲ ଖୋଲିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି । ଖୋର୍ଦ୍ଧା ଏସପିଙ୍କ ସହ ମଧ୍ୟ ଏ ବିଷୟରେ ଆଲୋଚନା କରିଥିବାର ସୂଚନା ଦେଇଛନ୍ତି । ଆଜିକାଲି ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବଢ଼ିବାରେ ଲାଗିଛି ଏବଂ ଗଣମାଧ୍ୟମ ଏହାର ଏକ ପ୍ରମୁଖ ଅଂଶ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ସମଗ୍ର ଜିଲ୍ଲାରେ ଇ-ୱାର୍କ କୁ ଗୁରୁତ୍ୱ ଦିଆଯିବ। ସମସ୍ତ ଜନସାଧାରଣ ଘରେ ବସି ସେମାନଙ୍କ ଅଭିଯୋଗ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦାଖଲ କରିବା ସହ ଫାଇଭ-ଟି ଅନ୍ତର୍ଗତ ସରକାରଙ୍କ ବିଭିନ୍ନ ଯୋଜନାର କିପରି ସିଧାସଳଖ ସେମାନେ ସୁଫଳ ପାଇ ପାରିବେ ତାହା ଉପରେ ଧ୍ୟାନ ଦିଆଯିବ । ସେହିପରି ଭାବେ ଜିଲ୍ଲାପାଳ ସ୍ଵତଃପ୍ରବୃତ୍ତ ଭାବେ ନିଜ ସମ୍ପତ୍ତି ତାଲିକା ଏନଆଇସି ୱେବସାଇଟରେ ପ୍ରକାଶ କରି ସାରିଛନ୍ତି ଏବଂ ଜିଲ୍ଲାର ଅନ୍ୟ ସରକାରୀ ଅଧିକାରୀ ମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକା ଖୁବ ଶୀଘ୍ର ସାର୍ବଜନୀନ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହାଦ୍ୱାରା ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିବେ । ସେହିପରି ଭାବେ ଜିଲ୍ଲାର ଯେକୌଣସି ନାଗରିକ ସିଧାସଳଖ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ନିଜ ସମସ୍ୟା ଉପସ୍ଥାପନ କରି ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦିନରୁ ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟପନ୍ଥା ଦେଖି ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ଉନ୍ନତି ହେବା ସହ ଦୀର୍ଘଦିନ ଧରି ଜିଲ୍ଲାରେ ଲାଗି ରହିଥିବା ଏକାଧିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲ୍ଲାବାସି ଆଶା କରିଛନ୍ତି । ସୂଚନା ଥାଉକି ନିକଟରେ ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଟିଇ ଏବଂ ଏସସିଇଆରଟି ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *