ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ଥାନା ।

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ଥାନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ମୋଟ ୩୪ଟି ପୁଲିସ ଜିଲ୍ଲାରେ ଏଭଳି ୩୪ଟି ଥାନା ପ୍ରତିଷ୍ଠା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ଥାନାରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏଭଳି ସମସ୍ତ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହ ପିଲାମାନଙ୍କ ପାଇଁ ଛୋଟ ଲାଇବ୍ରେରୀ ଉପଲବ୍ଧ ହେବ । ଲାଇବ୍ରେରୀରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରହିବ । ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ । ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୁଲିସ ‘କ’ଣ କରିବ ଓ କ’ଣ ନକରିବ’ ସେ ସମ୍ପର୍କରେ ଉଲ୍ଲେଖ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାଁ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହାସହ ପିଲାମାନଙ୍କ ପାଇଁ ଖେଳନା ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥରେ ସୁନ୍ଦର ଚିତ୍ର ସହ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ । ସାଧାରଣ ଥାନାର ପରିବେଶ ତୁଳନାରେ ଏଭଳି ପରିବେଶ ଥିବା ଥାନାରେ ପିଲାମାନେ ଅଯଥା ଚାପଗ୍ରସ୍ତ ହେବେ ନାହିଁ ବୋଲି ଚିନ୍ତା କରି ସରକାର ଏହି ନିଷ୍ପତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *