ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରୀ ନାଲିଫିତା ତଳେ ଭିନ୍ନକ୍ଷମଙ୍କ ବର୍ଦ୍ଧିତ ଭତ୍ତା ! ଅଭିଯୋଗ ର ପାଞ୍ଚମାସ ପରେ ମଧ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନଥିବା ବେଳେ ଅଧିକାରିଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବଞ୍ଚିତ ହେଉଛନ୍ତି ଭିନ୍ନକ୍ଷମ ହିତାଧିକାରୀ । ବାଣପୁର ବ୍ଳକ ଭେଟେଶ୍ୱର ପଞ୍ଚାୟତ କୁରୁଞ୍ଜିପୁର ଗ୍ରାମର ପ୍ରଫୁଲ ଦାସଙ୍କ ପୁତ୍ର ଅବିନାଶ ନିହାର ଜଣେ ଭିନ୍ନକ୍ଷମ । ୨୩ ବର୍ଷ ହୋଇଥିଲେ ମଧ୍ୟ ମାନସିକ ଅନଗ୍ରସର ହେତୁ ସେ ରୋଜଗାର କରିବାକୁ ଅକ୍ଷମ । ଏପରି ଅବସ୍ଥାରେ ଦୀର୍ଘ ଦିନ ହେବ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ଅବିନାଶଙ୍କୁ ଖାଉଟି କାର୍ଡ ମିଳିନାହିଁ । ୨୦୧୯ରେ ଅବିନାଶଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସିକ ୫୦୦ ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଅବିନାଶ ପାଞ୍ଚଶହ ଟଙ୍କା ଭତ୍ତା ପାଉଥିବା ବେଳେ ଗତ ମାର୍ଚ୍ଚ ମାସରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ବେହେରା ଚିଠି ନମ୍ବର ୮୯୫ରେ ଅବିନାଶ ଏବଂ ଗାଲୁଆ ଗ୍ରାମ ପଞ୍ଚାୟତ ସାମନ୍ତରାପୁର ଶାସନର ଭ୍ରମର ପରିଡାଙ୍କ ଭିନ୍ନକ୍ଷମ ଭତ୍ତାକୁ ୫୦୦ ରୁ ୭୦୦ ଶହ ଟଙ୍କାକୁ ବୃଦ୍ଧି କରିଥିଲେ । ଏ ’ ନେଇ ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସମେତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶ ମତେ ମାର୍ଚ୍ଚ ମାସରୁ ଭ୍ରମର ପରିଡା ସାତ ଶହ ଟଙ୍କା ଭତ୍ତା ପାଉଥିବା ବେଳେ ଅବିନାଶ ମାତ୍ର ପାଞ୍ଚଶହ ଟଙ୍କା ପାଉଛନ୍ତି । ଏନେଇ ଭିନ୍ନକ୍ଷମ ଅବିନାଶ ବହୁବାର ପଞ୍ଚାୟତ ଏବଂ ବ୍ଳକ କାର୍ଯ୍ୟାଳୟକୁ ଦୈାଡୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନଥିବା ଅତ୍ୟନ୍ତ କ୍ଷୋଭର ସହ ଅବିନାଶ କହିଛନ୍ତି । ଏନେଇ ସରପଞ୍ଚଙ୍କୁ ପଚାରିବାରେ ତାଙ୍କୁ ପାଞ୍ଚଶହ ଟଙ୍କା ଭତ୍ତା ମିଳୁଥିବା କହିବା ସହ ବର୍ଦ୍ଧିତ ଭତ୍ତା ଆସିଲେ ତାଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ ଚାଲିଛି , ଯଦି ଅବିନାଶଙ୍କ ଭତ୍ତା ବୃଦ୍ଧି କରାଯାଇଥିବ ତେବେ ତାହା ନିଶ୍ଚିତ ଭାବେ ଅବିନାଶ ପାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।
ସରକାରୀ ସହାୟତାରୁ ବଞ୍ଚିତ ବାଣପୁର ଭେଟେଶ୍ୱର ପଞ୍ଚାୟତର ଦିବ୍ୟାଙ୍ଗ ଅବିନାଶ ନିହାର !!!

