କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୮ – ୧୯ରେ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚିଠାରେ ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ କ୍ରମାଗତ ଭାବେ ପ୍ରତିବାଦ କରାଯାଇଥିଲେ ସୁଦ୍ଧା ଏହାର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ ବାହାରି ପାରିନାହିଁ । କ୍ରମାଗତ ଭାବେ ତିନି ବର୍ଷ ଧରି ବିଜେପି ପକ୍ଷରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ରଦାନ ନିମନ୍ତେ ଦାବି କରାଯାଉଛି । ଓଡିଶାକୁ ୨୭ ଲକ୍ଷ ଆବାସ ଆବଶ୍ୟକ ହେଉଥିବା ସ୍ଥଳେ କେନ୍ଦ୍ର ସରକାର ଅଧିକ ଏକ ଲକ୍ଷ ଆବାସ ପ୍ରଦାନ କରିଛନ୍ତି । ବର୍ତ୍ତମାନ ପ୍ରକାଶ ପାଇଥିବା ତାଲିକାରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ ସ୍ଥାନ ପାଇବାରୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି । ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ଓ ଯୋଗ୍ୟ ହିତାଧିକାରୀ ବାଦ ପଡିବା ନେଇ କ୍ରମାଗତ ଭାବେ ବିଜେପି ପକ୍ଷରୁ ଆନ୍ଦୋଳନ ଓ ବ୍ଲକ ଘେରାଉ ଚାଲିଥିବା ନେଇ ବିଜେପିର ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା କହିଥିଲେ । ଗତ ସପ୍ତାହରେ ସଠିକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଚୟନ କରି ପୁନର୍ବାର ତାଲିକା ପ୍ରସ୍ତୁତ କରିବା ପାଇଁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ଡେରାବିଶ ବ୍ଲକ କର୍ତ୍ତୃପକ୍ଷ ନେଇ ନଥିବାରୁ ଆଜି ବ୍ଲକ ଘେରାଉ କରାଯାଇଥିଲା । ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ତୀବ୍ର ଆନ୍ଦୋଳନ କରାଯିବା ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ, ମାନସ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କାନ୍ତ ରାଉତ, ରେଣୁକା ପ୍ରଧାନ ଓ ଗୀତାଞ୍ଜଳୀ ପ୍ରଧାନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ବିଜେପି ପକ୍ଷରୁ ବ୍ଲକ ଘେରାଉ !!!

