ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : କଳଙ୍କ ମୁଣ୍ଡାଇଲେ ଆଉ ଜଣେ ସାବତ ମାଆ । ଯିଏ ସମ୍ପତ୍ତି ଲୋଭରେ ଜଣେ ୩୫ ବର୍ଷୀୟ ଦିବ୍ୟାଙ୍ଗ ପୁଅକୁ ପିଟିପିଟି ମାରି ଦେଇଛି ! ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ । ତେବେ ଗାଁ ଲୋକଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାବତ ମାଆ । ପୂରା ଘଟଣା ଏମିତି । ଦଶପଲ୍ଲା ଥାନା ସିମିଳିସାହି ଗାଁର ଅଲେଖ ପ୍ରଧାନ । ସେ ପ୍ରଥମେ ସୁବର୍ଣ୍ଣ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଉଭୟଙ୍କ ଔରଷରୁ ବିପିନ ଓ ବିଜୟ ଦୁଇ ପୁଅ ଜନ୍ମ ହୋଇଥିଲେ । ଦଇବକୁ ଦୁଇ ପୁଅ ଦିବ୍ୟାଙ୍ଗ । କିନ୍ତୁ ସେଥିରେ ଭାଙ୍ଗି ପଡ଼ିନଥିଲେ ସୁବର୍ଣ୍ଣ । ସ୍ୱାମୀଙ୍କ ସହିତ କାମଦାମ କରି ଚଳି ଯାଉଥିଲେ । ବେଶ ହସଖୁସିରେ ଚାଲୁଥିଲା ପୂରା ପରିବାର । ହେଲେ ସେହି ପରିବାର ଉପରେ କାହାର ନଗର ପଡ଼ିଲା । ଅସୁସ୍ଥ ହୋଇପଡ଼ିଲେ ସୁବର୍ଣ୍ଣ । ଆଉ ତା’ପରେ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ । ମାଆଙ୍କ ମୃତ୍ୟୁ ବେଳକୁ ବିପିନ ଓ ପିଜୟଙ୍କ ବୟସ ୮ ରୁ ୯ ବର୍ଷ ହୋଇଥିଲା । ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ମଣିଷ ପରି ମଣିଷ ଭାବେ ଗଢ଼ିବା ପାଇଁ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଲେ ଅଲେଖ । ସେ ପଥରପୁଞ୍ଜା ଗାଁ ଗୀତାଙ୍କୁ ବିବାହ କରିଥିଲେ । ହେଲେ ଦୁର୍ଭାଗ୍ୟକୁ ଫଳ ଓଲଟା ହେଲା । ଘରେ ପାଦ ଦେବା ପରେ ବିପିନ ଓ ବିଜୟଙ୍କୁ ନାନା ନିର୍ଯାତନା ଦେଲେ । ପେଟ ଚାଖଣ୍ଡକ ପାଇଁ କଅଁଳ ବୟସରେ ସବୁ ଦୁଃଖ ଓ ଯନ୍ତ୍ରଣାକୁ ସହି ଯାଉଥିଲେ ଦୁଇ ଭାଇ । ତେବେ ଗୀତା ମାଆ ହେବା ପରେ ନିର୍ଯାତନା ଆହୁରି ବଢ଼ି ଯାଇଥିଲା । ନିଜ ଗର୍ଭରୁ ଜନ୍ମିତ ଦୁଇ ପିଲାଙ୍କ ପାଇଁ ଦୁଇ ସାବତ ଦିବ୍ୟାଙ୍ଗ ପୁଅଙ୍କୁ ଖାଇବାକୁ ଦେଲେ ନାହିଁ । ଏ ସବୁ ଦେଖୁଥିଲେ ମଧ୍ୟ ଅନ୍ଧ, ମୁକ ଓ ବଧିରଙ୍କ ପରି ଚୁପ୍ ରହୁଥିଲେ ଅଲେଖ ! ପ୍ରତିବାଦ କରୁନଥିବା ଅଭିଯୋଗ ହୋଇଛି ।ଲୋକଙ୍କ କହିବା ଅନୁସାରେ ସାବତ ମାଆର ନିର୍ଯାତନା ସହ୍ୟ ନକରି ବିପିନ୍ ଆତ୍ମହତ୍ୟା କରିଥିଲେ । ଏଥିପାଇଁ ଗୀତା ଓ ଅଲେଖ ବହୁ ସମାଲୋଚିତ ହୋଇଥିଲେ । ଏହା ପରେ ମଧ୍ୟ ସେମାନଙ୍କ ସଦବୁଦ୍ଧି ଉଦୟ ହୋଇନଥିଲା । ବଡ଼ଭାଇ ବିପିନଙ୍କ ମୃତ୍ୟୁ ପରେ ବିଜୟଙ୍କ ଉପରେ ହେଉଥିବା ନିର୍ଯାତନା କମୁନଥିଲା । ବରଂ ବଢ଼ି ଚାଲିଥିଲା । କଥା କଥାରେ ତାଙ୍କୁ ମାଡ଼ ହେଉଥିବା ଅଭିଯୋଗ ହୋଇଛି । ତଥାପି ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହିଥିଲେ ବିଜୟ । ଏହାରି ଭିତରେ ବିଜୟ ଯୌବନରେ ପାଦ ଥାପିଥିଲା । ୩୫ ବର୍ଷ ହେଲା । ତେଣୁ ବାହା ହେବାକୁ ବାପା ଓ ସାବତ ମାଆଙ୍କୁ କହିଥିଲେ । କିନ୍ତୁ ସାବତ ମାଆ ରୋକ୍ଠୋକ୍ ଭାବେ ମନା କରିଦେଇଥିଲେ । ତାଙ୍କ ମନରେ ଭୟ ଥିଲା, ବାହା ହେଲେ ସବୁ ସମ୍ପତ୍ତି କୁଆଡ଼େ ବିଜୟଙ୍କ ନାଁରେ ହୋଇଯିବେ । ବିଜୟଙ୍କ ନାଁରେ ସବୁ ସମ୍ପତ୍ତି ହୋଇଗଲେ ନିଜ ଗର୍ଭରୁ ଜନ୍ମ ହୋଇଥିବା ଦୁଇ ପିଲାଙ୍କ ଭାଗ୍ୟ କ’ଣ ହେବ ? ସେଥିପାଇଁ ସେ (ଗୀତା) ବିଜୟର ବାହାଘର କରାଇ ଦେଉନଥିଲେ । ଗାଁ ଲୋକଙ୍କ କହିବା ଅନୁସାରେ ବିବାହ କରିବାକୁ ବିଜୟ ଜିଦ୍ ଧରିଥିଲା । ସେଥିପାଇଁ ଗତ ୧୫ ତାରିଖ ରାତିରେ ତାଙ୍କୁ ତାଙ୍କ ସାବତ ମାଆ ପ୍ରବଳ ମାଡ଼ ମାରିଥିଲେ । ଆଉ ଏଥିରେ ତାଙ୍କ ବାପା ସହଯୋଗ କରୁଥିଲେ । ମାଡ଼ ବେଳେ ବିଜୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲା । ତେଣୁ ତାଙ୍କୁ ଦଶପଲ୍ଲା ମେଡ଼ିକାଲ୍କୁ ନେଇଥିଲେ । ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର କ୍ୟାପିଟାଲ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ତେଣୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଶନିବାର ବିଳମ୍ୱିତ ରାତିରେ ବିଜୟଙ୍କ ମୃତଦେହକୁ ଧରି ଗାଁରେ ପହଞ୍ଚିଥିଲେ ପରିବାର ଲୋକେ । ମୃତଦେହ ସତ୍କାର କରିବା ପାଇଁ ଅଲେଖ ସାହି ଭାଇଙ୍କୁ ଡାକିଥିଲେ । ହେଲେ ସମସ୍ତେ ମନା କରି ଦେଇଥିଲେ । ଆଉ କହିଥିଲେ, ପୁଅକୁ ପିଟିପିଟି ମାରିଦେଇ ସତ୍କାର ପାଇଁ ଡାକୁଛୁ ? ତେଣୁ କିଛି ଉପାୟ ନପାଇ ରାତି ପାହିବା ପୂର୍ବରୁ ଅଲେଖ ଓ ପୁଅ (ଦ୍ୱିତୀୟ ସ୍ତ୍ରୀ ଗୀତା ଗର୍ଭରୁ ଜନ୍ମିତ) ମିଶି ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରି ଦେଇଥିଲେ । ଆଜି ସକାଳେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଜୟଙ୍କ ମାମୁ ଅର୍ଥାତ ସୁବର୍ଣ୍ଣଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୀତା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୁଁ କିଛି ଜାଣିନି, କଣ କହିବି ? ମୋ ନାଁରେ ସବୁ ମିଛ କଥା କୁହାଯାଉଛି । ମୋ ଘର କଥା ମୁଁ କଣ କିଛି ଜାଣିନି । ମୁଁ କାହାକୁ ବାଡ଼େଇ ନାହିଁ ବୋଲି ଗୀତା କହିଛନ୍ତି । ତେବେ ଏପରି ଅଭାବନୀୟ ଅପରାଧକୁ ନେଇ ବଢୁଛି ପ୍ରତିକ୍ରିୟା !!!
ଅଭାବନୀୟ ଅପରାଧକୁ ନେଇ ବଢୁଛି ପ୍ରତିକ୍ରିୟା : ସାବତ ମା ମାଡ଼ ରେ ଦିବ୍ୟାଙ୍ଗ ପୁଅ ର ମୃତ୍ୟୁ ଘଟଣା !!!

