ବର୍ଷକୁ 10 ଦିନ ଖୋଲେ ଦାଣ୍ଡୁମାରାମା ମାଆଙ୍କ ମନ୍ଦିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦାଣ୍ଡୁମାଲା ସାହିରେ ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର ରହିଛି । ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ ଖୋଲା ହୋଇ ପୂଜା ରୀତିନୀତି ଚାଲେ । ପୁରାତନ ଏହି ମନ୍ଦିରଟି ପାରଳା ରାଜ ପରିବାର ତରଫରୁ ନିର୍ମିତ । ମା’ ଦୁର୍ଗା ଏଠାରେ ମା’ ଦାଣ୍ଡୁମାରାମ୍ମା ନାମରେ ପୂଜା ପାଇ ଆସୁଛନ୍ତି । ବର୍ଷକୁ ଥରେ କେବଳ ନବ ରାତ୍ର ୯ ଦିନ ମାଆଙ୍କ ପୂଜାର୍ଚ୍ଚନା ପରେ ବିଜୟା ଦଶମୀ ବିଳମ୍ବିତ ରାତିରେ ମନ୍ଦିରକୁ ବନ୍ଦ କରି ଦିଆଯାଏ । ରାଜାଙ୍କ ସମୟରେ ମହାଷ୍ଟମୀ ରାତିରେ ମାଆଙ୍କ ନିକଟରେ ବଳି ଦେବା ପ୍ରଥା ରହିଥିଲା । କାଳକ୍ରମେ ଏହି ପ୍ରଥା ବନ୍ଦ ହୋଇଯାଇଛି , ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସିନ୍ଦାଙ୍କ ଦ୍ବାରା ବର୍ତ୍ତମାନ ମନ୍ଦିର ଟିର ପରିଚାଳନା କରାଯାଉଛି । ପାରଳା ସହରବାସୀଙ୍କ ଆର୍ଥିକ ସହାୟତାରେ ବର୍ତ୍ତମାନ ଜାକ ଜମକରେ ମାଆଙ୍କ ନବରାତ୍ର ପାଳନ ଚାଲିଛି । ଦାଣ୍ଡୁମାଲାସାହି ବାସିନ୍ଦା ମା’ଙ୍କୁ ଏହି ୯ ଦିନ ନିଜ ଘରେ ଖିରି, ଖେଚେଡି ଆଦି ପ୍ରସ୍ତୁତ କରି ଆଣି ଭୋଗ ଲଗାଇଥାନ୍ତି । ବିଶ୍ୱାସ ରହିଛି, ମା’ ଦାଣ୍ଡୁମାରାମ୍ମାଙ୍କୁ ଦର୍ଶନ କଲେ ସର୍ବମଙ୍ଗଳ ପ୍ରାପ୍ତି ହେବା ସହ ଦୂରାରୋଗ୍ୟ ଓ ସମସ୍ତ କ୍ଲେଶ ଦୂର ହୁଏ । ଯାହା ମାନସିକ କଲେ ପୂର୍ଣ୍ଣ ହୁଏ । ମା ଙ୍କ ପ୍ରତିମୂର୍ତ୍ତି ପଛରେ ଏକ ସାପବିଳା ରହିଛି । ଏଥିରେ ବହୁ କାଳରୁ ଏକ ମାତ୍ର ନାଗସାପ ରହିଥିବା ବିଶ୍ୱାସ ରହିଛି । ଗତ ଅଷ୍ଟମୀ ପୂଜା ଉପଲକ୍ଷେ ମନ୍ଦିର ଜନଗହଳି ଥିବା ସମୟରେ ମାଆଙ୍କ ପ୍ରତିମୂର୍ତ୍ତି ଦେଖିବା ପାଇଁ ସହରର ଓ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ନବରାତ୍ର ସରିଲେ ମନ୍ଦିର ବନ୍ଦ ହେବା ପରେ ଏହି ନାଗସାପଟି ମା’ଙ୍କ ପୀଠକୁ ଜଗି ରହି ଆସୁଥିବା ବିଶ୍ୱାସ ରହିଛି । ଏଭଳି ଅନେକ କିମ୍ବଦନ୍ତୀ ଥିବା ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରାତ୍ରରେ ବହୁ ଭକ୍ତ ଆସି ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *