ତାଳବସ୍ତ ସେଵା ସମବାୟ ସମିତି : ରବି ଧାନମଣ୍ଡି ଖୋଲିଲା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକରେ ଚଳିତ 2026/27 ବର୍ଷ ପାଇଁ ରବି ଧାନମଣ୍ଡି ତାଳବସ୍ତ_ସେବା ସମବାୟ ସମିତି ଲିଃ ଆନୁକୁଲ୍ୟରେ ଉଦଘାଟିତ ହୋଇଯାଇଅଛି । ଏହା ପୂର୍ବରୁ ବିଲିପଡ଼ା ସେଵା ସମବାୟ ସମିତିରେ ପ୍ରଥମ ଧାନ ମଣ୍ଡି ଗତ ସପ୍ତାହରେ ଖୋଲିଥିଲା | ତାଳବସ୍ତ ହେଉଛି ଦ୍ୱିତୀୟ ଧାନ ମଣ୍ଡି ଖୋଲିବାରେ ଯାହା ପ୍ରଥମ ଦିନ 12 ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ 400 କୁଇଣ୍ଟାଲ ଧାନ କ୍ରୟ କରାଯାଇଛି | ଜୁନ 30 ତାରିଖ ଭିତରେ ପଞ୍ଜିକୃତ 243 ଜଣ ଚାଷୀଙ୍କ ଠାରୁ ପ୍ରାୟ 7 ହଜାର କୁଇଣ୍ଟାଲ ଧାନ ସିଧାସଳଖ ମିଲର କ୍ରୟ କରିବେ ବୋଲି ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ସୂଚନା ଦେଇଛନ୍ତି |ବାଙ୍କୀର ମାନ୍ୟବର ଯୁବ ବିଧାୟକ ଦେବୀ ରଂଜନ ତ୍ରିପାଠୀ ତାଳବସ୍ତ ଧାନମଣ୍ଡିକୁ ନଡ଼ିଆ ବାଡେଇ ଶୁଭ ଉଦଘାଟନ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ବ୍ୟାଙ୍କ୍ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଦୁଲଣାପୁର ସରପଞ୍ଚ ସାବିତ୍ରୀ ସାହୁ, ପୂର୍ବତନ ସରପଞ୍ଚ ଗଦାଧର ରାଉତ, କୁବେର ଚୌଧୁରୀ, ତାଳବସ୍ତ ରାଜସ୍ୱ ନିରୀକ୍ଷକା ଶ୍ରୀମତୀ ଲୋପାମୁଦ୍ରା ସାହୁ, ଜିଡ଼ି ରାଇସ ମିଲର ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ସାଧାରଣ ସଚେତନ ସଭାରେ ଯୋଗଦେଇ ଚାଷୀ, ସମବାୟ ଏବଂ ମିଳର ଭିତରେ ସମନ୍ୟୟର ସୁସମ୍ପର୍କ ଉପରେ ଆଲୋଚନା କରିଥିଲେ | ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା ସଭା ପରିଚାଳନା କରିଥିଲେ | ସମସ୍ତ ଧାନକ୍ରୟକୁ ସିସିଟିଭି ସହିତ, ପାନୀୟ ଜଳ, ଅଂଶୁଘାତରୁ ସୁରକ୍ଷିତ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି ବୋଲି ପରିଚାଳନା ସଦସ୍ୟର ବରିଷ୍ଟ ସଦସ୍ୟ ସୁଧାଂଶୁ ଶେଖର ନାୟକ କହିଛନ୍ତି | ଶୁଭ ଉଦଘାଟନ ଉତ୍ସବରେ ତାଳବସ୍ତ ସେଵା ସମବାୟ ସମିତିର ସମସ୍ତ ସଭ୍ୟ ଶ୍ୟାମ ସୁନ୍ଦର ପରିଡା, ବିପିନ ବିହାରୀ ନାୟକ, ବ୍ରଜବନ୍ଧୁ ନାୟକ, ବିପିନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ | ମହିଳା ଚାଷୀ ଜୟନ୍ତୀ ପରିଡାଙ୍କ ଠାରୁ ପ୍ରଥମେ ଧାନ କ୍ରୟ କରାଯାଇଥିଲା | ଧାନମଣ୍ଡି ଖୋଲିଲା ପରେ ଧାନକିଣାକୁ ନେଇ ଆଶା ଆଶଙ୍କାରେ ଥିବା ଉଭୟ ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଂଚାୟତର ଚାଷୀମାନେ ଖୁସି ଅଛନ୍ତି | ନୂଆ ସରକାର ଧାନ କୁଇଣ୍ଟାଲ ପ୍ରତି 3169/- ଟଙ୍କାରେ କିଣୁ ଥିବାରୁ ପୂର୍ବରୁ ପଡିଆ ପଡୁଥିବା ଧାନ ବିଲଗୁଡିକ ଏବେ ବହୁ ସଂଖ୍ୟାରେ ଗାଁରେ ରହୁଥିବା ଶିକ୍ଷିତ ଯୁବକ ଏବଂ ମହିଳାମାନେ ଆଗ୍ରହରେ ଚାଷ କରୁଥିବାରୁ ଅତିଥି ମାନେ ଖୁସିବ୍ୟକ୍ତ କରିଥିଲେ | ମୁଖ୍ୟ ଅତିଥି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆଗାମୀ ଦିନରେ ଧାନ ରହିବା ପାଇଁ ଗୋଦାମ ଘର ନିର୍ମାଣ, ଦୁଲଣାପୁର ଗ୍ରାମରେ ଆଉ ଏକ ନୂତନ ସେବା ସମବାୟ ସମିତି ଖୋଲିବା ଏବଂ ସ୍ଥାନୀୟ ଚାଷୀଙ୍କୁ ଉର୍ନତ ଚାଷୀ ଗବେଷଣା ପାଇଁ ବିଦେଶ ପଠାଇବା କାର୍ଯ୍ୟକ୍ରମ ଉପରେ ମୋହର ମାରିଥିଲେ |

Leave a Reply

Your email address will not be published. Required fields are marked *