ଓଡ଼ିଶାରେ ବଢୁଛି କର୍ପୋରେଟ୍ ଲୁଣ୍ଠନ, ସାମ୍ପ୍ରଦାୟିକ ଧୃବୀକରଣ, ଆଇନଶୃଙ୍ଖଳା ବିପର୍ଯ୍ୟୟ ଓ ଜନଜୀବନର ସଙ୍କଟ — ଲୋକ ବିରୋଧୀ ବିଜେପି ସରକାର ବିରୋଧରେ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ସି.ପି.ଆଇ.(ଏମ୍)ର ଆହ୍ୱାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଭୁବନେଶ୍ୱରରେ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଜୁନ୍ ୬-୮ ପର୍ଯ୍ୟନ୍ତ ଆୟୋଜିତ ତିନି ଦିନିଆ ରାଜ୍ୟ କମିଟି ବୈଠକ ଏବଂ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀରେ ରାଜ୍ୟର ବର୍ତ୍ତମାନର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇ ଗଭୀର ଉଦବେଗ ପ୍ରକାଶ କରାଯାଇଛି।
ସି ପି ଆଇ (ଏମ୍) ପ୍ରକାଶ କରିଛି ଯେ, ଓଡ଼ିଶାରେ ବିଜେପି ସରକାର କେବଳ କେନ୍ଦ୍ର ସରକାରଙ୍କ ହିନ୍ଦୁତ୍ୱବାଦୀ ଓ କର୍ପୋରେଟ୍-ପୋଷକ/ ସପକ୍ଷପାତୀ ନୀତିର କାର୍ଯ୍ୟକାରୀ ଏଜେଣ୍ଟ ଭାବେ କାମ କରୁଛି।
ଲୋକଙ୍କ ଜୀବନ, ଜୀବିକା, ଗଣତାନ୍ତ୍ରିକ ଅଧିକାର ଓ ସାମାଜିକ ସମ୍ପ୍ରୀତିକୁ ଉପେକ୍ଷା କରି କର୍ପୋରେଟ୍ ଲାଭ, କେନ୍ଦ୍ରୀୟ କର୍ତ୍ତୃତ୍ୱ ଓ ସାମ୍ପ୍ରଦାୟିକ ଧୃବୀକରଣକୁ ପ୍ରାଥମିକତା ଦିଆଯାଉଛି।

ସାମ୍ପ୍ରଦାୟିକ ଧୃବୀକରଣ ଓ ଆର୍.ଏସ୍.ଏସ୍.ର ବିସ୍ତାର ଗଣତନ୍ତ୍ର ପାଇଁ ବିପଦ:
ରାଜ୍ୟରେ ଆର୍.ଏସ୍.ଏସ୍. ଓ ସାଂପ୍ରଦାୟିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବିସ୍ତାର ଲାଭ କରୁଛି। ଧର୍ମ, ଜାତି ଓ ସମ୍ପ୍ରଦାୟ ନାମରେ ଲୋକଙ୍କୁ ବିଭକ୍ତ କରିବାର ଚେଷ୍ଟା ଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା, ଦଙ୍ଗା ଓ ଭିଡ ହିଂସା ଘଟଣା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ। ମହିଳା,ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବଢ଼ୁଥିବା ବେଳେ ସରକାର ନୀରବ ଦର୍ଶକ ସାଜିଛି।

ଖଣିଜ ସମ୍ପଦର କର୍ପୋରେଟ୍ ଲୁଣ୍ଠନ ଓ ଆଦିବାସୀ ବିସ୍ଥାପନ:

ଓଡ଼ିଶାର ବକ୍ସାଇଟ୍, କୋଇଲା, ଲୁହାପଥର ସମେତ ବିପୁଳ ଖଣିଜ ସମ୍ପଦକୁ ବଡ଼ ବଡ଼ କର୍ପୋରେଟ୍ ଗୋଷ୍ଠୀଙ୍କ ହାତକୁ ଟେକି ଦିଆଯାଉଛି। ନିୟମଗିରି, ସିଜିମାଳି, କାଶିପୁର, ବାଲଦା, ଓ ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳରେ ଜମି, ଜଙ୍ଗଲ ଓ ଜଳ ସମ୍ପଦ ଉପରେ କର୍ପୋରେଟ୍ ଦଖଲ ପାଇଁ ପ୍ରଶାସନିକ ଓ ପୋଲିସ୍ ଦମନ ଚାଲିଛି। ସ୍ଥାନୀୟ ଲୋକଙ୍କ ମତାମତ, ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଗ୍ରାମସଭାର ନିଷ୍ପତ୍ତିକୁ ଅବମାନନା କରାଯାଉଛି।

ଆଇନଶୃଙ୍ଖଳା ପରିସ୍ଥିତିର ଚରମ ଅବନତି:
ରାଜ୍ୟରେ ହତ୍ୟା, ନାରୀ ନିର୍ଯାତନା, ଦୁଷ୍କର୍ମ, ଲୁଟ୍, ଗୁଣ୍ଡାଗିରି, ମାଫିଆରାଜ ଓ ଭିଡ଼ ହିଂସା ଲଗାମହୀନ ଭାବେ ବଢ଼ୁଛି। ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି। ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପରିବର୍ତ୍ତେ ସରକାର ବିରୋଧୀ ସ୍ୱରକୁ ଦମନ କରିବାରେ ଅଧିକ ବ୍ୟସ୍ତ ରହିଛନ୍ତି।

ମହିଳାଙ୍କ ସୁରକ୍ଷା ଗୁରୁତର ସଙ୍କଟରେ:

ରାଜ୍ୟରେ ମହିଳା ଓ କନ୍ୟା ଶିଶୁଙ୍କ ବିରୋଧରେ ଅପରାଧ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଦୁଷ୍କର୍ମ, ଗଣଦୁଷ୍କର୍ମ, ଅପହରଣ, ଘରୋଇ ହିଂସା ଓ ଯୌନ ଉତ୍ପୀଡ଼ନ ଘଟଣା ବଢ଼ିବା ସରକାରର ବିଫଳତାକୁ ପ୍ରକାଶ କରୁଛି। ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପନ୍ନ:
ସରକାରୀ ହସ୍ପିଟାଲଗୁଡ଼ିକରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ହଜାର ହଜାର ପଦବୀ ଖାଲି ପଡ଼ିଛି। ଔଷଧ, ଯନ୍ତ୍ରପାତି ଓ ବିଶେଷଜ୍ଞ ଚିକିତ୍ସାର ଅଭାବ ରହିଛି। ଏସ୍.ସି.ବି. ମେଡିକାଲର ଅଗ୍ନିକାଣ୍ଡ ଘଟଣା ସରକାରୀ ଅବହେଳାର ନଗ୍ନ ଉଦାହରଣ। ସ୍ୱାସ୍ଥ୍ୟ ସେବାକୁ ବେସରକାରୀକରଣ ଦିଗକୁ ଠେଲି ଦିଆଯାଉଛି। ବେସରକାରୀ ଓ କର୍ପୋରେଟ ହସପିଟାଲମାନଙ୍କ ଶୋଷଣରେ ସାଧାରଣ ଲୋକ ଯନ୍ତ୍ରଣା ରେ ଜର୍ଜରିତ।

ଶିକ୍ଷା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଓ ବେସରକାରୀକରଣ:

ହଜାର ହଜାର ସରକାରୀ ବିଦ୍ୟାଳୟ ବନ୍ଦ ଓ ମର୍ଜର୍ କରାଯାଇଛି। ଆଦିବାସୀ ଓ ଗ୍ରାମାଞ୍ଚଳରେ ଡ୍ରପ୍-ଆଉଟ୍ ହାର ବଢ଼ୁଛି। ଶିକ୍ଷକ ପଦ ଖାଲି ରହିଛି। ଶିକ୍ଷାକୁ ବେସରକାରୀକରଣ କରି ସାଧାରଣ ଗରିବ ଲୋକଙ୍କ ପହଞ୍ଚରୁ ଦୂରେଇ ଦିଆଯାଉଛି। ନିଟ୍ ଓ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା ଦେଶର ଶିକ୍ଷା ବ୍ୟବସ୍ଥାକୁ କଳଙ୍କିତ କରିଛି।

ବିଦ୍ୟୁତ୍ ଓ ପାନୀୟ ଜଳ ସଙ୍କଟ:

ରାଜ୍ୟର ଅନେକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ, କମ୍ ଭୋଲ୍ଟେଜ୍ ଓ ଅସ୍ଥିର ଯୋଗାଣ ଜନଜୀବନକୁ ବିପର୍ଯ୍ୟସ୍ତ କରୁଛି। ବିଦ୍ୟୁତ୍ ବିତରଣର ବେସରକାରୀକରଣ ଏହି ସଙ୍କଟକୁ ଆହୁରି ଗଭୀର କରିଛି। ସେହିପରି ଗ୍ରାମାଞ୍ଚଳ, ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ସୁରକ୍ଷିତ ପାନୀୟ ଜଳର ଗୁରୁତର ଅଭାବ ଦେଖାଦେଇଛି।

କୃଷକଙ୍କ ସଙ୍କଟ ଅବ୍ୟାହତ:

ଧାନ କ୍ରୟରେ ଅବ୍ୟବସ୍ଥା, ବିଳମ୍ବିତ ପୈଠ, ଫସଲର ନ୍ୟାୟସଙ୍ଗତ ମୂଲ୍ୟ ନମିଳିବା, ସାର ଓ କୃଷି ଉପକରଣର ଦରବୃଦ୍ଧି କୃଷକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛି। ଚାଷୀଙ୍କ ଋଣ ଭାର ବଢ଼ୁଛି ଓ କୃଷି କ୍ଷେତ୍ର କ୍ଷତିଗ୍ରସ୍ତ ହେଉଛି।

ବେକାରୀ ଓ ଜୀବିକା ସଙ୍କଟ:

ରାଜ୍ୟରେ ଶିକ୍ଷିତ ଯୁବକଙ୍କ ବେକାରୀ ହାର ଅଭୂତପୂର୍ବ ସ୍ତରରେ ପହଞ୍ଚିଛି। ସରକାରୀ ଚାକିରିରେ ହଜାର ହଜାର ପଦ ଖାଲି ଥିଲେ ମଧ୍ୟ ନିଯୁକ୍ତି କରାଯାଉନାହିଁ। ଆଉଟସୋର୍ସିଂ ଓ ଠିକା ନିଯୁକ୍ତି ମାଧ୍ୟମରେ ଶ୍ରମିକ ଶୋଷଣକୁ ବଢ଼ାଯାଉଛି। ନ୍ୟୁନତମ ମଜୁରୀ, ସାମାଜିକ ସୁରକ୍ଷା ଓ ସ୍ଥାୟୀ ନିଯୁକ୍ତିରୁ ଯୁବପିଢ଼ି ବଞ୍ଚିତ ହେଉଛନ୍ତି।
ମନରେଗା ଓ ଗ୍ରାମୀଣ ଜୀବିକା ଉପରେ ଆକ୍ରମଣ
ମନରେଗାରେ ପର୍ଯ୍ୟାପ୍ତ କାମ ଦିଆଯାଉନାହିଁ। ମଜୁରୀ ଅତ୍ୟନ୍ତ କମ୍ ଓ ମଜୁରୀ ପ୍ରଦାନରେ ମାସ ମାସ ବିଳମ୍ବ ହେଉଛି। ଗ୍ରାମାଞ୍ଚଳର ଗରିବ ପରିବାରମାନେ ଜୀବିକା ସଙ୍କଟରେ ପଡ଼ିଛନ୍ତି।
ପୂର୍ବ ବିଜେଡି ସରକାର ପ୍ରଚଳନ କରିଥିବା ଜନ କଲ୍ୟାଣ ଏବଂ ଉନ୍ନୟନ ଯୋଜନାଗୁଡ଼ିକ ଆପାତତଃ ଅଚଳ ହୋଇପଡ଼ିଛି।
ଏହି ପୃଷ୍ଠଭୂମି ରେ ଖଣିଜ ସମ୍ପଦର କର୍ପୋରେଟ୍ ଲୁଣ୍ଠନ ବନ୍ଦ କରିବା, ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ଅଧିକାର ସୁନିଶ୍ଚିତ କରିବା,ସାମ୍ପ୍ରଦାୟିକ ହିଂସା ଓ ଘୃଣା ରାଜନୀତି ବନ୍ଦ କରିବା,ମହିଳାଙ୍କ ସୁରକ୍ଷା ପାଇଁ କଠୋର ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା,ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ଖାଲି ପଦ ତୁରନ୍ତ ପୂରଣ କରିବା,
ସରକାରୀ ଚାକିରିରେ ବ୍ୟାପକ ନିଯୁକ୍ତି କରିବା
ମନରେଗାରେ ୧୦୦ ଦିନର କାମ ଓ ରାଜ୍ୟର ସରକାରୀ ସର୍ବନିମ୍ନ ମଜୁରୀ “ମନରେଗା” ପାଇଁ ଲାଗୁ କରିବା, ୮୦୦ଟଙ୍କା ଇନପୁଟ ସବସିଡି, ସହିତ ଧାନର ନ୍ୟାୟସଙ୍ଗତ ମୂଲ୍ୟ ଓ ତୁରନ୍ତ ପୈଠ ବ୍ୟବସ୍ଥା କରିବା,ବିଦ୍ୟୁତ୍ ଓ ପାନୀୟ ଜଳ ସେବାର ସାର୍ବଜନୀନ ଅଧିକାର ସୁନିଶ୍ଚିତ କରିବା,
ଆଉଟସୋର୍ସିଂ ଓ ଠିକା ପ୍ରଥା ହ୍ରାସ କରି ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା,ଆଇନଶୃଙ୍ଖଳା ସୁଦୃଢ଼ କରି ଅପରାଧ, ମାଫିଆରାଜ ଓ ଗୁଣ୍ଡାଗିରି ଉପରେ କଠୋର ରୋକ ଲଗାଇବା, ଲୋକଙ୍କ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା କରିବା,
ଇତ୍ଯାଦି ଦାବି ରେ ଆନ୍ଦୋଳନ ପାଇଁ ସି.ପି. ଆଇ. (ଏମ୍)ଆହ୍ଵାନ ଦିଆଯାଇଛି।

ସାଂଗଠନିକ ନିଷ୍ପତ୍ତି: ରାଜ୍ୟ କମିଟି ରେ ଖାଲିଥିବା
୪ଟି ସ୍ଥାନ ରେ ସର୍ଵ ସାଥୀ ରଘୁନାଥ ହନ୍ତାଳ, ଜାହାଙ୍ଗୀର ଅଲ୍ଲୀ, ଭୀମସେନ ସ୍ୱାଇଁ ଏବଂ ଉଲ୍ଲାସ ସ୍ୱାଇଁଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି।

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକ, କୃଷକ, ଆଦିବାସୀ, ଦଳିତ, ମହିଳା, ଯୁବକ ଓ ଗଣତନ୍ତ୍ରପ୍ରେମୀ ଜନସାଧାରଣଙ୍କୁ ଏକତ୍ରିତ ହୋଇ କର୍ପୋରେଟ୍ ଲୁଟ୍, ସାମ୍ପ୍ରଦାୟିକ ଧୃବୀକରଣ ଓ ଲୋକ ବିରୋଧୀ ନୀତି ବିରୋଧରେ ବ୍ୟାପକ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଜଣାଇଛି। ଆସନ୍ତା ୨୦୨୭ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନକୁ ଜନସଂଗ୍ରାମର ଏକ ଶକ୍ତିଶାଳୀ ମଞ୍ଚରେ ପରିଣତ କରି ବିକଳ୍ପ ଜନବାଦୀ ନୀତି ପାଇଁ ଲଢ଼େଇ ଜୋରଦାର କରିବାକୁ ଆହ୍ୱାନ ଦିଆଯାଇଛି। ଜନଜୀବନ ର ସମସ୍ୟା ଉପରେ ଜୁଲାଇ ମାସରେ ୧୦ଦିନିଆ ପ୍ରଚାର ଅଭିଯାନ, ଜୁଲାଇ – ଅଗଷ୍ଟ ରେ ଗଣପାଣ୍ଠି ସଂଗ୍ରହ,ସାମ୍ୟବାଦୀ ର ପ୍ରସାର,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧ ରେ ପ୍ରତିବାଦ,
“ପ୍ରାକୃତିକ ସମ୍ପଦ ଲୁଣ୍ଠନ, ଆଦିବାସୀଙ୍କୁ ଦମନ, ବିସ୍ଥାପନ ଏବଂ ଶିଳ୍ପ” ପ୍ରସଙ୍ଗ ରେ ରାଜ୍ୟ ସ୍ତରୀୟ କନଭେନସନ, ଖାଦ୍ୟ ସୁରକ୍ଷା, କାମ ଏବଂ ଜମି ଅଧିକାର ପ୍ରସଙ୍ଗ ରେ ଅଭିଯାନ, କ୍ୟୁବା ସଂହତି ଅଭିଯାନ ଇତ୍ଯାଦି ପ୍ରଚାର ଅଭିଯାନ ଏବଂ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆହ୍ଵାନ ଦିଆଯାଇଛି।

ଏହି ରାଜ୍ୟ କମିଟି ବୈଠକ ଏବଂ କର୍ମୀ ସମ୍ମିଳନୀରେ ବରିଷ୍ଠ ପାର୍ଟି ନେତା କମ୍ରେଡ୍ ଅଳି କିଶୋର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।
ସି ପି ଆଇ (ଏମ୍) ପଲିଟ ବ୍ୟୁରୋ ସଦସ୍ୟ ସାଥୀ ଶ୍ରୀଦିପ୍ ଭଟ୍ଟାଚାର୍ଯ୍ୟ, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ପ୍ରମୁଖ ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ଏହି କର୍ମୀ ସଭାରେ ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ସମେତ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ କୁମାର ଦାସ, ଶିଶିର ହୁଇ, ପ୍ରମୋଦ ସାମଲ,ପୁଷ୍ପା ଦାଶ, ଯମେଶ୍ୱର ସାମନ୍ତରାୟ, ଯୁଧିଷ୍ଠିର ବେହେରା ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *