ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଥିଲା । ପାରଳାଖେମୁଣ୍ଡି ଥାନାର ଅଫିସରମାନେ, DVF ଓ APR ଫୋର୍ସଙ୍କ ସହିତ ମିଶି ସେରି ସାହି, ଜଙ୍ଗମ ସାହି, ରେଲି ସାହି ସମେତ ଅନ୍ୟାନ୍ୟ ସଂବେଦନଶୀଳ ସାହି ଓ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଫୁଟ୍‌ ମାର୍ଚ୍ଚ କରିଥିଲେ। ଏହା ସମୟରେ ସନ୍ଦେହଜନକ ସ୍ଥାନଗୁଡ଼ିକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେରି ସାହିରେ ରାସ୍ତା କଡ଼ରେ ଚାଲିଥିବା ଏକ ଜୁଆ ଖେଳ ଧରାପଡ଼ିଥିଲା। ସେଠାରୁ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜୁଆ ଖେଳ ସ୍ଥଳରୁ ନଗଦ ଟଙ୍କା Rs. ୨,୩୩୫/- ଓ ୮ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ସେହିପରି ରେଲି ସାହିରେ ଆଉ ଏକ ଚଢ଼ାଉ ସମୟରେ ଏକ ଅବକାରୀ ମାମଲା ଧରାପଡ଼ିଥିଲା । ସେଠାରୁ ୧୪ଟି ବିୟର ବୋତଲ ଜବତ କରାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେହିପରି ଅନ୍ୟ ଏକ ଘଟଣାରେ, ଯାନବାହାନ ଯାଞ୍ଚ ସମୟରେ ଏକ ମୋଟରସାଇକେଲ ରେ ବେଆଇନ ମଦ ବୋଝେଇ ନେଇଯାଉଥିବା ୨ ଜଣ ବ୍ୟକ୍ତିଙ୍କୁ ପୋଲିସ ଧରିଥିଲା । ସେମାନଙ୍କ ଠାରୁ ୨୦ ଲିଟର ମଦ ଜବତ କରାଯାଇଛି ଏବଂ ଉଭୟଙ୍କୁ ଗିରଫ କରାଯାଇଛି । ଉପରୋକ୍ତ ଘଟଣାଗୁଡ଼ିକ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୨୨୪/୨୦୨୬, ୨୨୫/୨୦୨୬ ଏବଂ ୨୨୬/୨୦୨୬ ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲୁ ରହିଛି । ଏହି ଡ୍ରାଇଭ୍ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ପ୍ରତି ଭରସା ସୃଷ୍ଟି କରିବା ସହିତ ଅସାମାଜିକ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦିଆଯାଇଛି। ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଓ ଗ୍ରାମାଞ୍ଚଳରେ ଏପରି ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଜୁଆ, ଅବୈଧ ମଦ ବିକ୍ରି, ନିଶା କାରବାର ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ଦୃଢ଼ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

Leave a Reply

Your email address will not be published. Required fields are marked *