ବିଶ୍ୱ ରକ୍ତଦାତା ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶ୍ୱ ରକ୍ତଦାତା ଦିବସ ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରକ୍ତ କେନ୍ଦ୍ର, ମିଶନ୍ ରକ୍ତଦାନ ଏବଂ ୱରି ଫ୍ରି ୱେଲନେସ୍ ସେଣ୍ଟରର ମିଳିତ ଆନୁକୂଳ୍ୟରେ ପାତ୍ରପଡ଼ାସ୍ଥିତ ୱରି ଫ୍ରି ୱେଲନେସ୍ ସେଣ୍ଟର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ୱରି ଫ୍ରି ୱେଲନେସ୍ ସେଣ୍ଟରର ମୁଖ୍ୟ ଶ୍ରୀ ନାରାୟଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ବିଏମସି ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର କଲ୍ୟାଣ କୁମାର ସରକାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଗାନ୍ଧୀବାଦୀ ଶ୍ରୀ ପ୍ରହଲ୍ଲାଦ ସିଂହ, ଜାତୀୟ ଯୁବ ପ୍ରକଳ୍ପର ରାଷ୍ଟ୍ରୀୟ ଟ୍ରଷ୍ଟି ଶ୍ରୀ ମଧୁସୂଦନ ଦାସ, ସିନିୟର ୱେଲନେସ୍ କୋଚ୍ ଶ୍ରୀମତୀ କଳ୍ପନା ସିଂହ ଏବଂ ଯୁବ ସମାଜସେବୀ ଶ୍ରୀ ସୋମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ରକ୍ତଦାନର ମହତ୍ତ୍ୱ, ଏହାର ସାମାଜିକ ଆବଶ୍ୟକତା ଏବଂ ଜୀବନ ରକ୍ଷାରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ।

ଶିବିର ପରିଚାଳନାରେ ଶ୍ରୀ ଗୁନୁ ଆଚାର୍ଯ୍ୟ, ଶ୍ରୀ ବିଭୂତି ଭୂଷଣ ସାହୁ, ଶ୍ରୀ ହରପ୍ରସାଦ ମହାପାତ୍ର, ଶ୍ରୀମତୀ ରଶ୍ମିତା ସାହୁ ଏବଂ ଅନ୍ୟାନ୍ୟ ସହଯୋଗୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

ଶେଷରେ ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ନିୟମିତ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କରିଥିଲେ। ଏହି ରକ୍ତଦାନ ଶିବିର ସମାଜରେ ରକ୍ତଦାନ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ ମାନବସେବାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *