ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର କରିବାକୁ ଆମ୍ ଆଦ୍‌ମୀ ପାର୍ଟିର ଦାବୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ପ୍ରାୟ ୧୬୭୮ ଟି ତ୍ରୁଟି ବାହାରିବା ଶିକ୍ଷା ବ୍ୟବସ୍ଥାରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ପ୍ରଥମ ଶ୍ରେଣୀରେ ୭ଟି ପୃଷ୍ଠାରେ ୯ଟି ଭୁଲ୍, ଦ୍ୱିତୀୟ ଶ୍ରେଣୀରେ ୧୦ଟି ପୃଷ୍ଠାରେ ୧୦ଟି ଭୁଲ୍, ତୃତୀୟ ଶ୍ରେଣୀରେ ୩୬ଟି ପୃଷ୍ଠାରେ ୪୦ଟି ଭୁଲ୍, ଚତୁର୍ଥ ଶ୍ରେଣୀରେ ୬୦ଟି ପୃଷ୍ଠାରେ ୮୦ରୁ ଅଧିକ ଭୁଲ୍, ପଞ୍ଚମ ଶ୍ରେଣୀରେ ୧୯ଟି ପୃଷ୍ଠାରେ ୩୦ରୁ ଅଧିକ ଭୁଲ୍, ଷଷ୍ଠ ଶ୍ରେଣୀରେ ୫ଟି ପୃଷ୍ଠାରେ ୫ଟି ଭୁଲ୍, ଅଷ୍ଟମ ଶ୍ରେଣୀରେ ୩୧ଟି ପୃଷ୍ଠାରେ ୫୦ଟି ଭୁଲ୍ ଏହିପରି ପ୍ରାୟ ୧୬୭୮ଟି ଭୁଲ୍ ସ୍ଵୀକାର କରିଥିବା ଗଣ ଶିକ୍ଷା ବିଭାଗର ଚରମ ଦାୟିତ୍ଵହୀନତା ପାଇଁ ଲକ୍ଷ ଲକ୍ଷ ଛାତ୍ର, ଛାତ୍ରୀଙ୍କ ଭବିଷ୍ୟତ ବର୍ତ୍ତମାନ ଅମା ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଏଭଳି ଗୁରୁତର ଭୁଲକୁ ସ୍ଵୀକାର ନକରି ଓଲଟା ଶିକ୍ଷକମାନେ ତ୍ରୁଟି ସୁଧାରି ଶିକ୍ଷାଦାନ କରିବେ ବୋଲି ଗଣ ଶିକ୍ଷାମନ୍ତ୍ରୀ କହିବା ସମଗ୍ର ଛାତ୍ର ସମାଜ ପ୍ରତି ଉପହାସ। ଗଣଶିକ୍ଷା ବିଭାଗର ନିର୍ବୋଧତା ପାଇଁ ବହି ଛାପା ଓ ପ୍ରକାଶନରେ ଯେଉଁ ୫୦ କୋଟି ଟଙ୍କାର ଖର୍ଚ୍ଚ ପାଣିରେ ଧୋଇ ହୋଇଗଲା ତାହାର ଭରଣା କିପରି ହୋଇପାରିବ ବୋଲି ଆମ୍ ଆଦ୍‌ମୀ ପାର୍ଟି ପ୍ରଶ୍ନ ପଚାରିଛି ? ବିନା କୋର୍ କମିଟିର ଅନୁଧ୍ୟାନରେ ବହି କିପରି ଛପା ହୋଇପାରିଲା ଏବଂ ୩ ବର୍ଷ ଜାଗାରେ ୬ମାସରେ ବହି ଗୁଡ଼ିକ କିପରି ପ୍ରସ୍ତୁତ ହୋଇପାରିଲା ବୋଲି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏକ ପ୍ରେସ ବିବୃତି ଜରିଆରେ ଗୁରୁତର ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରଶ୍ନ ପତ୍ର ପ୍ରଘଟ ଘଟଣାର ଚାପ ସହ୍ୟ ନକରିପାରି ଅସଂଖ୍ୟ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିବା କଥା ମନରୁ ନ ଲିଭୁଣୁ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରି ସରକାର ପୁନରାୟ ଛାତ୍ର ଛାତ୍ରୀଙ୍କ ମୂଲ୍ୟବାନ ଜୀବନକୁ ସଙ୍କଟ ଭିତରକୁ ଠେଲି ଦେଇଛନ୍ତି। ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ବ୍ରହ୍ମପୁରକୁ ଜିଲ୍ଲାଭାବେ ଅଭିହିତ କରିବା, ଭୁଲ୍ ବନାନ୍ ଲେଖିବା, ଓଡ଼ିଶା ବିଧାନସୌଧ ଲେଖାଥିବା ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫୋଟୋ ସ୍ଥାନିତ କରି ଛାତ୍ର ଛାତ୍ରୀଙ୍କୁ ଭୁଲ୍ ଶିକ୍ଷା ପ୍ରଦାନ କରିବାର ପ୍ରୟାସ କରାଯିବା ଭଳି ଅକ୍ଷମଣୀୟ ଓ ଗୁରୁତର ଅପରାଧ ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଅପାରଗତା ସମ୍ପୂର୍ଣ୍ଣ ଦାୟୀ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ଏଭଳି ଚରମ ଅବହେଳା ଓ ଦାୟିତ୍ଵହୀନତାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ କରାଯିବା ସହ ସେମାନଙ୍କ ଠାରୁ ତ୍ରୁଟିଯୁକ୍ତ ପୁସ୍ତକ ଛାପିବାରେ ହୋଇଥିବା ଖର୍ଚ୍ଚର ଭରଣା କରାଯାଇ ବିଦ୍ୟାଳୟ ଖୋଲିବା ସମୟ ଆସୀନ ଥିବା ଏବଂ ଶିକ୍ଷାଦାନରେ ବ୍ୟାଘାତ ଓ ବିଳମ୍ବ ଆଶଙ୍କାକୁ ପ୍ରତିହତ କରିବାପାଇଁ ଯଥାଶୀଘ୍ର ତ୍ରୁଟିଶୂନ୍ୟ ପୁସ୍ତକର ସୁବନ୍ଦୋବସ୍ତ କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବୀ ଜଣାଇଛି।ଏହି ସମସ୍ତ ଘଟଣାରେ ନିଜକୁ ଦୋଷମୁକ୍ତ ଦର୍ଶାଉଥିବା ଏବଂ ବେପରୁୱା ଆଚରଣ ପ୍ରଦର୍ଶନ କରୁଥିବା ଗଣଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଆମ୍ ଆଦମୀ ପାର୍ଟି ଦାବୀ ଜଣାଇଛି ।

Leave a Reply

Your email address will not be published. Required fields are marked *