ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଓ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା । ଶିବିରରେ ମୋଟ ୨୧୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୦୦ଟି ବ୍ୟକ୍ତିଗତ ଅଭିଯୋଗ, ୬ଟି ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ, ୫ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସମ୍ବନ୍ଧୀୟ ଆବେଦନ ଏବଂ ୨ଟି ରେଡକ୍ରସ ସହାୟତା ସମ୍ବନ୍ଧୀୟ ଆବେଦନ ରହିଥିଲା । ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୬୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡ଼ିକର ଶୀଘ୍ର ଓ ସମୟବଦ୍ଧ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆବେଦନକାରୀଙ୍କ ଅଭିଯୋଗର ଶୁଣାଣି କରିବା ସହ ଆବଶ୍ୟକ ପରାମର୍ଶ ଓ ସହାୟତା ପ୍ରଦାନ କରିଥିଲେ ।


