ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାଡମ୍ୱରେ ପାଳନ କରାଯାଇଅଛି | ଆଜିର ଜିଲ୍ଳାସ୍ତରୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓଡ଼ିଶା ,ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ଅଭିଭାଷଣରେ ଗଜପତି ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯ୍ୟ ଓ କଳା, ସାହିତ୍ୟ, ସଂସ୍କୃତି ଆଦିଭୂମି, ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି ଗଜପତି ଜିଲ୍ଲା । ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମ ଦେଶ ଓ ଜାତି ପାଇଁ ଗର୍ଵ ଓ ଗୌରବର ଦିବସ । ସହିଦ ଭଗତ ସିଂ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ସହିଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ମାଳତୀ ଚୌଧୁରୀ ପ୍ରମୁଖଙ୍କ ବଳିଦାନ, ସଂଘର୍ଷ ଓ ସଂଗ୍ରାମ ବଳରେ ଦୀର୍ଘ ବର୍ଷର ପରାଧୀନତାର ଅନ୍ଧକାର ହଟି ଆଜିର ଦିନରେ ସ୍ୱାଧୀନତାର ସୂର୍ଯ୍ୟଦୋୟ ଦେଖିଥିଲା।
ସେହି ଦେଶପ୍ରେମୀ ସଂଗ୍ରାମୀ ମାନଙ୍କୁ ଆଜିର ଏହି ପବିତ୍ର ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଐତୀହ ସଂପନ ଗଜପତି ଜିଲ୍ଲାର ଦେଶ ଭକ୍ତ ସଂଗ୍ରାମୀ ମାନେ ପରାଧୀନତାର ମୁକ୍ତପାଇଁ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଏ ଅଂଚଳ ଯେଉଁ ଭଳି ପବିତ୍ର ମହେନ୍ଦ୍ର ତନୟାର ଶୀତଳ ଜଳ ସ୍ପର୍ଶରେ ସବୁଜିମା ଭରା ଭୂଖଣ୍ଡରେ ପ୍ରାଚୀନ ଇତିହାସ ସେତିକି ମଧ୍ୟ ଗୌରବଦିତ୍ୟ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅନ୍ୟତମ ବିନ୍ଧାଣି ଯୁଗଜନ୍ମି କିମ୍ବଦନ୍ତୀ ପୁରୁଷ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ପାରଳା ରାଜଵଂଶ ପ୍ରତି ଆନୁଗତ୍ୟା ପ୍ରକାଶ କରି ବୀର ପାଇକ ସିପାହୀମାନେ ନିଜ ଜନ୍ମଭୂମୁକି ସୁରକ୍ଷା ଦେବାପାଇଁ ତରଭାରୀ ଧରିଥିଲେ। କେବଳ ପୁରୁଷମାନେ ନୁହନ୍ତି ଏ ମାଟିର ହୀରାମଣି ବିଷୋୟୀ, ନିଜର ଦିବଂଗତ ସ୍ୱାମୀ କୃଷ୍ଣଚନ୍ଦ୍ର ବିଷୋୟୀଙ୍କ ଆନ୍ଦାଳନକୁ ତୀବ୍ର କରିବା ପାଇଁ ନିଜେ ସେନାପତିର ଦାଇତ୍ୱ ନେଇ ଦୁର୍ଦ୍ଧଷ ଇଂରେଜୀ ବାହିନୀ ବିରୁଦ୍ଧରେ ତୀବ୍ର ଯୁଦ୍ଧ କରିଥିଲେ ଯାହା ଏ ମାଟିର ପ୍ରତ୍ୟେକ ରମଣୀ ପାଇଁ ଆଦର୍ଶ ସୃଷ୍ଟି କରିଛି।
ଅହିଂସା ଆନ୍ଦୋଳନରେ ମଧ୍ୟ ଗଜପତିର ଅନେକ ସଂଗ୍ରାମୀ ନିଜକୁ ଝାସ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ରାଜନୀତିରୁ ଆରମ୍ଭ କରି ସଂଗୀତ, କଳା ଓ ନାଟ୍ୟ ଜଗତର ଅନନ୍ୟ ପ୍ରତିଭାମାନଙ୍କୁ ଜନ୍ମଦେଇ ଏ ମାଟି ଧନ୍ୟ ହୋଇଛି। ଓଡିଶା ପ୍ରଦେଶ ଗଠନ ପାଇଁ ଗଠିତ ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଏ ମାଟିର ଗୌରବ ଶ୍ୟାମ ସୁନ୍ଦର ରାଜଗୁରୁ, କବି ସିରାମଣୀ ଗୋପାଳ କୃଷ୍ଣ, ନାଟ୍ୟକାର ଆପନ୍ନା ପରିଛା, ସଂଗୀତ କାର ଆପନ୍ନା ପାଣିଗ୍ରାହୀ, ଓଡ଼ିଆ ଭଭିଧାନର ସ୍ରଷ୍ଟା ଭାଷାବିତ ଗୋପୀନାଥ ନନ୍ଦ, ଐତିହାସିକ ସତ୍ୟନାରାୟଣ ରାଜଗୁରୁ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରି ଏ ମାଟିକୁ ଗରୀୟାନ କରିଛନ୍ତି। ଗଜପତି ଜିଲ୍ଲାର ସଂସ୍କୃତି ଓ ପରମ୍ପରା ଓଡ଼ିଆ, ତେଲୁଗୁ, ସଉରା ଲୋକଙ୍କ ଉପରେ ନିର୍ଭର କରେ। ପବିତ୍ର ଶୈବ କ୍ଷେତ୍ର ମହେନ୍ଦ୍ରଗିରୀ, ଜିରାଙ୍ଗର ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର, ଖସଡ଼ା, ଗୁଦୁଗୁଦା, ମାଙ୍କଡଡିଆଁ, ଗଣ୍ଡାହାତି, ଜଳପ୍ରପାତର କୁଳୁକୁଳୁ ନାଦ ସମସ୍ତ ପର୍ଯ୍ୟଟଙ୍କଙ୍କୁ ଆକର୍ଷଣ କରୁଅଛି।
ଆଜି ଆମେ ସ୍ଵାଧୀନତାର ୮୦ ବର୍ଷ ଛୁଇଁବା ବେଳେ ୨୦୩୬ ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ୧୦୦ ବର୍ଷ ପୁରା କରିବା । ୨୦୪୭ ରେ ସ୍ଵାଧୀନ ଭାରତର ୧୦୦ ବର୍ଷ ପୂରଣ ହେବ । ଏହି ବର୍ଷ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଆମ ଗଜପତି ଜିଲ୍ଲାର କୁଯାଶିଙ୍ଗରେ ବେତ ହସ୍ତଶିଳ୍ପ,ଟାଙ୍ଗିଆ ସାହିରେ ବାଉଁଶ ହସ୍ତଶିଳ୍ପ,ତିତିସିଙ୍ଘରେ ଓ ତଳଦମାଡୁଆ ଗ୍ରାମରେ ମୃତିକା ହସ୍ତଶିଳ୍ପ,ପରଳାଖେମୁଣ୍ଡିର ସିଂଘ କାମ ଯାହା ପରଳାଖେମୁଣ୍ଡିର ସ୍ୱତନ୍ତ୍ର ପରିଚୟ । ଏହି ଜିଲ୍ଲାରେ ୧୪ ଟି ଗ୍ରାନାଇଟ ଶିଳ୍ପ ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ଓ ବିକାଶ କ୍ଷେତ୍ରକୁ ପ୍ରଶସ୍ତ କରୁଛି । ଲୋକଙ୍କ ସରକରରେ ସୁଶାସନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେବାସହ ସୁଦୃଢ ନ୍ୟାୟିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଅଛି । ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଛାତ୍ରୀଙ୍କ ସୁରକ୍ଷା,ସଶକ୍ତିକରଣ ଓ ଆତ୍ମ ରକ୍ଷା ପାଇଁ ଐତିହାସିକ ପଦକ୍ଷେପ ସ୍ବରୂପ ଆରମ୍ଭ ହୋଇଛି । ଆମ ଗଜପତି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାରୁ ସେମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଆଦିବାସୀ ଉନ୍ନୟନ ସଂସ୍ଥାକୁ କ୍ରିୟାଶୀଳ କରିଛନ୍ତି । ଗଜପତି ଜିଲ୍ଲା ଆକାଂକ୍ଷୀ ଜିଲ୍ଲାର ମାନ୍ୟତା ପାଇବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରୁଅଛି ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (PMEGP) ଅଧୀନରେ ବିଗତ ଦୁଇ ବର୍ଷ ମଧ୍ୟରେ ୧୦୪ଟି ସୂକ୍ଷ୍ମ ଉଦ୍ୟୋଗକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଉଦ୍ୟମଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବମୋଟ ୫୬୧.୭୨ ଲକ୍ଷ ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ସେହିପରି, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକୀକରଣ ଯୋଜନା (PMFME) ଅଧୀନରେ ୪୯ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ୨୪୫.୦୦ ଲକ୍ଷ ଟଙ୍କାର ଋଣ ଅନୁମୋଦନ କରାଯାଇଛି। ଜିଲ୍ଲାରେ ଉଦ୍ୟମିତାର ବିକାଶ, ରୋଜଗାର ସୃଷ୍ଟି, ସ୍ଥାନୀୟ ଉତ୍ପାଦର ମୂଲ୍ୟବୃଦ୍ଧି ଏବଂ ପାରମ୍ପରିକ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଉଛି।
ଜିଲ୍ଲାରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରର ବିକାଶ ସହ ଚାଷୀ, ପଶୁପାଳକ ଓ ଉଦ୍ୟୋଗୀମାନଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ଗୋ-ପାଳନ ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ୩୮ଟି ୟୁନିଟ୍ରେ ୪୭.୪୬ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୯୭ଟି ୟୁନିଟ୍ରେ ୧୪୨.୩୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି, ମଇଁଷି ଉଦ୍ୟୋଗ ବିକାଶ ଯୋଜନା ଅଧୀନରେ ୨୭.୬୦ ଲକ୍ଷ ଟଙ୍କା ବିନିଯୋଗରେ ୨୦ଟି ୟୁନିଟ୍ ପ୍ରତିଷ୍ଠା କରାଯାଇଛି । ପଶୁପାଳନକୁ ଅଧିକ ଲାଭଜନକ କରିବା ଦିଗରେ ଗୋଖାଦ୍ୟ ଉଦ୍ୟୋଗ ବିକାଶ ମଧ୍ୟ ଗତିଶୀଳ ହୋଇଛି। ଏହି କ୍ଷେତ୍ରରେ ଚାଷ ଅଞ୍ଚଳ ୧୮.୨୫ ଏକରରୁ ବୃଦ୍ଧି ପାଇ ୪୩ ଏକରରେ ପହଞ୍ଚିଛି। ବ୍ରଏଲର୍ ବିକାଶ କ୍ଷେତ୍ରରେ ୩୭୬.୮୦ ଲକ୍ଷ ଟଙ୍କା ବ୍ୟୟରେ ୧୫୧ଟି ୟୁନିଟ୍ ପ୍ରତିଷ୍ଠା ହୋଇଛି। ଏହା ସହ ଲେୟର୍ (Layer) ବିକାଶ କ୍ଷେତ୍ରରେ ୩୭.୦୧ ଲକ୍ଷ ଟଙ୍କା ବିନିଯୋଗରେ ୯ଟି ୟୁନିଟ୍ ପ୍ରତିଷ୍ଠା କରାଯାଇଛି।ଛେଳି ପାଳନ କ୍ଷେତ୍ରରେ ୩୨ଟି ଛେଳି ପାଳନ ୟୁନିଟ୍ର ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହୋଇଛି। ଏଥିସହିତ, ୪୦.୮୮ ଲକ୍ଷ ଟଙ୍କା ବ୍ୟୟରେ ୧୪ଟି ଘୁଷୁରି ପାଳନ ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଜିଲ୍ଲାରେ ଗୋପାଳନ, ମଇଁଷି ପାଳନ, କୁକୁଡ଼ା ପାଳନ, ଛେଳି ଓ ଘୁଷୁରି ପାଳନ ଭଳି ବିଭିନ୍ନ ପ୍ରାଣୀସମ୍ପଦ ଭିତ୍ତିକ ଜୀବିକାକୁ ସୁଦୃଢ଼ କ ରାଯାଇବା ସହ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରାଯାଉଛି।
ଜିଲ୍ଲା ପ୍ରଶାସନ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନିଆଯାଇଥିବା ପ୍ରୟାସ କାର୍ଯ୍ୟକ୍ରମ ଫଳରେ ୨୦୨୫ ବାର୍ଷିକ ହାଇ ସ୍କୁଲ ପରୀକ୍ଷାରେ ଗଜପତି ଜିଲ୍ଲା ୯୯.୩୫% ହାର ସହିତ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଲଗାତାର ଭାବରେ ଦ୍ୱିତୀୟ ଥର ପାଇଁ ସର୍ବକାଳୀନ ସର୍ବଶ୍ରେଷ୍ଠ ପ୍ରଦର୍ଶନ କାରି ଜିଲ୍ଲା ରୂପେ ଗୌରବ ହାସଲ କରିପାରିଛି।
ଆଜିର ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା, ଦଶମ ଶ୍ରେଣୀ ପରୀକ୍ଷା ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜିର ଜାତୀୟ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ. ନାଗାରାଜୁ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ |
ଆଜିର ଏହି ପ୍ୟାରେଡକୁ ଶ୍ରୀ ଅଭିରାମ ଖୁଣ୍ଟିଆ, ଆର୍.ଆଇ.ଅଫ୍ ପୋଲିସ୍ ଓ ଶ୍ରୀ ଖୁସୀରାମ ଭଇ, ସର୍ଜେଣ୍ଟ ଅଫ ପୋଲିସ ପରିଚାଳନା କରିଥିଲେ। ଆଜିର ପ୍ୟାରେଡରେ ମୋଟ ୨୩ ଗୋଟି ଦଳ ଭାଗ ନେଇ ଥିବାବେଳେ ସେଥିମଧ୍ୟରୁ
ବରିଷ୍ଠ ବିଭାଗ ପ୍ୟାରେଡ଼ରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏନ.ସି.ସି ନାଭାଲ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ,ସେହିପରି କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ଓ ଦ୍ଵିତୀୟ ସ୍ଥାନ ରେ ସେଣ୍ଟ ଜୋସେଫ୍ କନଭେଣ୍ଟ ସ୍କୁଲ ପୁରସ୍କୃତ କରାଯାଇଛି। ଜିଲ୍ଲା କାରାଗାର ର ଅନ୍ତେବାସୀ, ଜିଲ୍ଲା ଚିକିତ୍ସାଳୟ ର ଚିକିତ୍ସାଧୀନ ଅନ୍ତେବାସୀ ଓ କୁଷ୍ଠା ଆଶ୍ରମର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଛି। ଏହି ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ତୁଷାରମୟ ସେନାପତିଙ୍କ ତତ୍ଵାବଧାନ ରେ କାର୍ଯ୍ୟକ୍ରମ ଗୁଡ଼ିକୁ ସମ୍ପାଦିତ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଅମୁଲ୍ୟ କୁମାର ପାଣିଗ୍ରାହୀ ଓ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିଲେ।

