ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବିରେ ରଣପୁର-ଜଙ୍କିଆ ଜଗନ୍ନାଥ ସଡ଼କ ଅବରୋଧ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିକୋ ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମର ପଦ୍ମ ଚରଣ ମାଝୀ ମଧ୍ୟରାତ୍ରିରେ ଘର ବାହାରକୁ ଆସିଥିବା ବେଳେ ଅତର୍କିତ ଭାବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ପରେ ପରିବାର ସଦସ୍ୟ ମାନେ ତାଙ୍କୁ ନିକଟସ୍ଥ ବିଲ ବାଡ଼ ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏ ନେଇ ମୃତକଙ୍କ ବଡ଼ଭାଇ ପଙ୍କଜ ମାଝୀ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ମୃତଦେହର ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତକଙ୍କ ଦୁଇଟି ଛୋଟ ପୁଅ ଓ ଝିଅ ଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହ କ୍ଷତିପୂରଣ ପ୍ରଦାନ ପାଇଁ ବିଧାୟକ ପ୍ରଦୀପ କୁମାର ସାହୁ ଓ ସମାଜସେବୀ ସଞ୍ଜୟ କୁମାର ବାହୁବଳେନ୍ଦ୍ରଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ତେବେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରଣପୁର-ଜଙ୍କିଆ ଜଗନ୍ନାଥ ସଡ଼କ ଉପରେ ଟାୟାର ଜାଳି ତିନି ଘଣ୍ଟା ଧରି ଅବରୋଧ କରିଥିଲେ । ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଁଚି ମୃତକଙ୍କ ପରିବାରକୁ ରେଦକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *