ମା’ ଚର୍ଚ୍ଚିକାଙ୍କ ମହାଷ୍ଟମୀ ଓ ଦଶହରା ପାଇଁ ପ୍ରଶାସନିକ ପ୍ରସ୍ତୁତି : ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ମୌଳିକ ସୁବିଧା ଉପରେ ଗୁରୁତ୍ୱ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା’ ଚର୍ଚ୍ଚିକାଙ୍କ ମହାଷ୍ଟମୀ ଓ ଦଶହରା ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁଚାରୁ ରୂପେ ସମାପନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀମତୀ ମୋନୋସ୍ଵିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାଷ୍ଟମୀ ଓ ଦଶହରା ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ଆବଶ୍ୟକ ମୌଳିକ ସୁବିଧା ଯୋଗାଣ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ମନ୍ଦିର ଭିତର ଓ ବାହାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବା, ମନ୍ଦିରକୁ ଯାତାୟାତ କରୁଥିବା ରାସ୍ତାରୁ ଅବରୋଧ ହଟାଇବା ଏବଂ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ କୁହା ଯାଇଥିଲା । ଶୋହଳ ପୂଜା ଠାରୁ କୁମାର ଉତ୍ସବ ପର୍ଯ୍ୟନ୍ତ ମନ୍ଦିର ତଳେ ଦୁଇଟି ପାନୀୟ ଜଳ ଟ୍ୟାଙ୍କର ରଖିବା ସହିତ ପରିମଳ ବ୍ୟବସ୍ଥା ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏନ୍‌.ଏ.ସି. ଅଞ୍ଚଳରେ ଅସ୍ଥାୟୀ ପରିମଳ ବ୍ୟବସ୍ଥା, ସ୍ଥାୟୀ ପରିସ୍ରାଗାରର ନିୟମିତ ସଫେଇ ଏବଂ ପାଦଧୁଆ କୁଣ୍ଡକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଏନ୍‌.ଏ.ସି. ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ପୂଜା ସମୟରେ ମନ୍ଦିର ପରିସରରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ସହ ଭକ୍ତଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରିବାକୁ ଥାନା ଅଧିକାରୀ, ବାଙ୍କୀଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଶୋହଳ ପୂଜାଠାରୁ କୁମାର ଉତ୍ସବ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ଆବଶ୍ୟକ ମରାମତି କାର୍ଯ୍ୟ ପୂର୍ବରୁ ସମାପ୍ତ କରିବାକୁ ଟି.ପି.ସି.ଓ.ଡି. ଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବାଳକୃଷ୍ଣ କହଁର, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଆଲୋକ କୁମାର ପଟ୍ଟନାୟକ, ବାଙ୍କୀ ଥାନା ଆଇ.ଆଇ.ସି. ଶ୍ରୀ ଦିଲ୍ଲୀପ କୁମାର ମର୍ଦ୍ଦରାଜ ଭୂୟାଁ, ଡେପୁଟି କଲେକ୍ଟର ଶ୍ରୀ ଅଶ୍ୱିନୀ କୁମାର ନାୟକ ଓ ଶ୍ରୀମତୀ ରଞ୍ଜିତା ଲେଙ୍କା, ଅତିରିକ୍ତ ତହସିଲଦାର ଶ୍ରୀ ଆଦିତ୍ୟ ଦଳବେହେରାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ସନ୍ତୋଷ କୁମାର ରଣା, ସମ୍ପାଦକ ଶ୍ରୀ ନୀଳମଣି ମହାପାତ୍ର ଶ୍ରୀ ସୁଧୀର କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *