କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ ପାଇଁ ବାଲେଶ୍ୱରର ସବ୍କଲେକ୍ଟର ତଥା ଆଇଏଏସ୍ ଅଧିକାରୀ ଶିବ ମାଲଭିଆଙ୍କୁ ନିୟୋଜିତ କରାଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୩ ତାରିଖରେ ଚିଠି ସଂଖ୍ୟା. ଜରିଆରେ ନିର୍ଦ୍ଦେଶନାମା ଜାରି ହୋଇଛି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଓଡ଼ିଶା ରିଲିଫ୍ କୋଡ୍ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିଯୁକ୍ତି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଶିବ ମାଲଭିଆ କନ୍ଧମାଳ ଜିଲ୍ଲାରେ ଯୋଗଦେଇ ଜିଲ୍ଲାପାଳଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଆବଶ୍ୟକତାର ଆକଳନ, ରିଲିଫ୍ ସାମଗ୍ରୀ ବଣ୍ଟନ, କ୍ଷେତ୍ରସ୍ତରରେ ସହାୟତା ପ୍ରଦାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜନସେବାର ପୁନରୁଦ୍ଧାର ଦିଗରେ ସେ ସମନ୍ୱୟ ରକ୍ଷା କରିବେ। ଏହି ନିୟୋଜନ ଅବଧିରେ ତାଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଦାୟିତ୍ୱ ଦିଆଯିବ। ସମ୍ପୃକ୍ତ ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ତାଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟଭାର ଅର୍ପଣ କରାଯିବ। ଏଥିସହ ତାଙ୍କ ଯୋଗଦାନ ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲ୍ଲାରେ ନିଜ ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଅନ୍ୟପକ୍ଷରେ, ତାଙ୍କୁ ତୁରନ୍ତ କାର୍ଯ୍ୟମୁକ୍ତ କରି ନିୟୋଜନ ସ୍ଥାନରେ ଯୋଗଦେବାକୁ ସମ୍ପୃକ୍ତ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ କୁହାଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତିରେ କନ୍ଧମାଳର ରାସ୍ତାଘାଟ, ଯୋଗାଯୋଗ, ବିଦ୍ୟୁତ୍, ପାନୀୟ ଜଳ ଓ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇବା ଏବେ ପ୍ରଶାସନର ପ୍ରମୁଖ ଆହ୍ୱାନ। ଏଭଳି ସମୟରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିୟୋଜନ ଜିଲ୍ଲାର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସମନ୍ୱିତ ଓ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କନ୍ଧମାଳରେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲଭିଆଙ୍କୁ ଦାୟିତ୍ୱ !!!

