ଗଞ୍ଜାମ ଜିଲ୍ଲାରେ ବାତ୍ୟା ଜନିତ ବନ୍ୟାଞ୍ଚଳ ପରିଦର୍ଶନ କଲେ ଆପ୍ ଓଡ଼ିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର !!!

Spread the love

ଗଂଜାମ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆମ୍ ଆଦ୍‌ମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ଜନିତ ପରିସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ l ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲାର ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, ଶେରଗଡ଼, ଆସ୍କା ଏବଂ ହିଞ୍ଜିଳିକାଟୁର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସାଧାରଣ ଜନତା, କ୍ଷତିଗ୍ରସ୍ତ ପରିବାର, ପଞ୍ଚାୟତ ପ୍ରତିନିଧି ତଥା ସ୍ଥାନୀୟ ନେତୃତ୍ୱଙ୍କ ସହିତ ବିସ୍ତୃତ ଆଲୋଚନା କରିବା ସହ କିଛି ସ୍ଥାନରେ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳ ବଣ୍ଟନ କରିଥିଲେ l

ଡ଼େଙ୍ଗାପଦର ପଞ୍ଚାୟତର ବାକିଲିକଣା ଗ୍ରାମର କୃଷକ ଅର୍ଜୁନ ପଣ୍ଡାଙ୍କର ଦୁଇ ଏକର ଜମିରେ ବନ୍ୟା ପାଣି ମାଡି ଫସଲ ସମ୍ପୂର୍ଣ ନଷ୍ଟ ହେବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବାର ସମ୍ବାଦ ପାଇ ଶ୍ରୀ ନିଶିକାନ୍ତ ମହାପାତ୍ର ତାଙ୍କ ପରିବାରବର୍ଗଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଉପଯୁକ୍ତ କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଦାବି ରଖିଥିଲେ l ଉକ୍ତ ଅଞ୍ଚଳରେ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା କ୍ଷତିପୂରଣ ରାଶି ନୈରାଶ୍ୟ ଜନକ ବୋଲି ଘୋଷଣା କରି ଆମ୍ ଆଦମୀ ପାର୍ଟି ଏହାକୁ ହେକ୍ଟର ପିଛା ପଚାଶ ହଜାର ଟଙ୍କା କରିବା ପାଇଁ ଦାବି ରଖିଛି l

ଏହି ଅବସରରେ ଶ୍ରୀ ମହାପାତ୍ର ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କଲା ପରେ ସରକାର ଏବଂ ବାତ୍ୟା ପୂର୍ବରୁ ପ୍ରଶାସନ ତରଫରୁ ଉପଯୁକ୍ତ ପ୍ରସ୍ତୁତି ହୋଇ ନଥିବାର ପ୍ରମାଣ ପାଇଥିଲେ l ଦାୟିତ୍ୱରେ ଥିବା ପ୍ରଶାସନିକ କର୍ମଚାରୀ ମାନେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହିତ କୌଣସି ପ୍ରକାର ପ୍ରସ୍ତୁତି ବୈଠକ କରିନଥିବା ଏବଂ ବିଭିନ୍ନ ପଞ୍ଚାୟତରେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଏବଂ ପଲିଥିନ୍ ମିଳି ନଥିବାର ସାଧରଣରେ ଅଭିଯୋଗ ହୋଇଥିଲା l ଏପରିକି ବାତ୍ୟା ପରବର୍ତ୍ତୀ ବନ୍ୟା ମଧ୍ୟ ପ୍ରଶାସନର ଅପାରଗତାରୁ ହୋଇଥିବାର ଅଭିଯୋଗ ଆସିଥିଲା l ବାତ୍ୟା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁଇ ଦିନ ପର୍ଯ୍ୟନ୍ତ ରିଲିଫ ସାମଗ୍ରୀ ପହଞ୍ଚି ନଥିବାରୁ ଜନସାଧାରଣ ପ୍ରଶାସନ ଏବଂ ସରକାର ବିରୁଦ୍ଧରେ ଅସନ୍ତୋଷ ଥିବାର ଦେଖିବାକୁ ମିଳିଥିଲା।ବାତ୍ୟା ଜନିତ କ୍ଷୟକ୍ଷତିକୁ ତୁରନ୍ତ ଆକଳନ କରି କ୍ଷତିଗ୍ରସ୍ତଙ୍କୁ ଉଚିତ୍ ଭରଣା ପ୍ରଦାନ କରିବା ସହିତ ସେମାନଙ୍କର ଥଇଥାନ ତ୍ୱରିତ ସମୟ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର ଓଡ଼ିଶା ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି। ଉକ୍ତ ପ୍ରତିନିଧି ମଣ୍ଡଳୀରେ ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଲିଗାଲସେଲ ସଭାପତି କୈଳାଶ ସେଠୀ, ରାଜ୍ୟ ସୋସିଆଲ ମିଡ଼ିଆ କୋର୍ଡିନେଟର ଲିଙ୍ଗରାଜ ପାତ୍ର, ନୀଳକଣ୍ଠ ରେଡ୍ଡୀ,ରମେଶ ଚନ୍ଦ୍ର ବେହେରା,ଶ୍ରୀନିବାସ ରେଡ୍ଡୀ, କୁରେଶ ମହାରଣା, ଭଜରାମ ସାବତ, ମିଥୁନ ସେଠୀ, ମିନତୀ ସେଠୀ, ରଞ୍ଜନ କୁମାର ରାଉତ, ରଞ୍ଜିତ କୁମାର ତ୍ରିପାଠୀ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *