ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : କେବଳ ଖବର ପରିବେଷଣ ନୁହେଁ, ସମାଜସେବାରେ ବି ତାଳଚେର ମିଡିଆର ନିଆରା ପଦକ୍ଷେପ ! ଜାତୀୟ ପ୍ରେସ୍ ଦିବସରେ ଅସହାୟଙ୍କୁ କମ୍ବଳ ବଣ୍ଟନ, ସୁସ୍ଥ ସମାଜ ଗଠନ ପାଇଁ ସାମୂହିକ ଶପଥ ! ତାଳଚେର:ଗଣମାଧ୍ୟମ କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଓ ମାନବିକତାର ପରିଚୟ ଦେବାର ଏକ ଶକ୍ତିଶାଳୀ ମଞ୍ଚ। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ତାଳଚେର ମିଡିଆ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡସ୍ଥିତ ବସ୍ ଓନର୍ସ ଆସୋସିଏସନ୍ ପ୍ରକୋଷ୍ଠରେ ଜାତୀୟ ପ୍ରେସ୍ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ସମସ୍ୟାକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ସହ ସମାଜରେ ଘଟୁଥିବା ଅନ୍ୟାୟ, ଅନୀତି ଓ ଅବ୍ୟବସ୍ଥା ବିରୋଧରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତାମାନେ ମତପ୍ରକାଶ କରିଥିଲେ। ନିରପେକ୍ଷ, ନିର୍ଭୀକ ଓ ଦାୟିତ୍ୱବାନ ସାମ୍ବାଦିକତା ହିଁ ଏକ ସୁସ୍ଥ, ସୁନ୍ଦର ଓ ସଚେତନ ସମାଜ ଗଠନର ମୂଳ ଆଧାର ବୋଲି ମତପ୍ରକାଶ ପାଇଥିଲା । ତାଳଚେର ମିଡିଆର ସଭାପତି ବଜରଙ୍ଗ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଉପସଭାପତି ବିମ୍ବାଧର ମହାପାତ୍ର, ପରାମର୍ଶଦାତା ପର୍ଶୁରାମ ବାରିକ ଓ ସାଧାରଣ ସମ୍ପାଦକ ପ୍ରଦୀପ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସମାରୋହରେ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ, ସମାଜସେବୀ ରାଜକିଶୋର ସାହୁ, ଦୈନିକ ‘ସମ୍ବାଦ’ର ପ୍ରତିନିଧି ବିକାଶ ସାହୁ, ସମାଜସେବୀ ରେଣୁବାଳା ଦଳବେହେରା ଓ ପୂର୍ବତନ ଏନ୍ସିସି ଅଧିକାରୀ ସଦାନନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ସାମାଜିକ ଦାୟିତ୍ୱ ଓ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ସବୁଠାରୁ ମାନବିକତାପୂର୍ଣ୍ଣ ପଦକ୍ଷେପ ଥିଲା ଅସହାୟ ଓ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ। କେବଳ ଭାଷଣ ଓ ଆନୁଷ୍ଠାନିକତାରେ ସୀମିତ ନରହି ଶୀତରୁ ରକ୍ଷା ପାଇବା ପାଇଁ ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ତାଳଚେର ମିଡିଆ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଥିଲା। ଏହି ପଦକ୍ଷେପ ଗଣମାଧ୍ୟମର ସାମାଜିକ ପ୍ରତିବଦ୍ଧତାକୁ ଅଧିକ ସ୍ପଷ୍ଟ କରିଥିଲା । କାର୍ଯ୍ୟକ୍ରମରେ ତାଳଚେର ମିଡିଆର ସଦସ୍ୟ ବସନ୍ତ ନାଏକ, ହରେକୃଷ୍ଣ ମହାପାତ୍ର, ବିଘ୍ନେଶ୍ୱର ସାହୁ, ସୁନୀଲ ପାଣି, ସନ୍ତୋଷ ପରିଡ଼ା ଓ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ସମାଜରେ ଘଟୁଥିବା ଅନ୍ୟାୟ, ଅନୀତି ଓ ବିଭିନ୍ନ ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟାକୁ ସର୍ବାଧିକ ପ୍ରାଥମିକତା ଦେଇ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସମସ୍ତ ସଦସ୍ୟ ସାମୂହିକ ଶପଥ ନେଇଥିଲେ । ସାମ୍ବାଦିକତା କେବଳ କଲମରେ ସୀମିତ ନୁହେଁ,ଏହା ମଣିଷର ଦୁଃଖରେ ସାଥୀ ହେବାର ଏକ ମାନବିକ ଦାୟିତ୍ୱ।ଜାତୀୟ ପ୍ରେସ୍ ଦିବସରେ ତାଳଚେର ମିଡିଆର ଏହି ପଦକ୍ଷେପ ସମାଜ ପାଇଁ ଏକ ସକାରାତ୍ମକ ଓ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଛି।
କେବଳ ଖବର ପରିବେଷଣ ନୁହେଁ , ସମାଜସେବାରେ ବି ତାଳଚେର ମିଡିଆର ନିଆରା ପଦକ୍ଷେପ !!!

