ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ଆମେଚର ବକ୍ସିଂ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଦଶମ ଏଲିଟ୍ ପୁରୁଷ ଓ ମହିଳା ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତା-୨୦୨୬ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସେକ୍ଟର-୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶାରୀରିକ ଶିକ୍ଷା ଶିକ୍ଷକ ତଥା ବକ୍ସିଂ ଖେଳାଳି ଶ୍ରୀ ଦିଲେଶ୍ୱର ତ୍ରୁଣାଙ୍କ ନେତୃତ୍ୱରେ ଗଜପତି ଦଳ ଅଂଶଗ୍ରହଣ କରିଥିଲା। ଦଳର ଶିବ ଅଙ୍କୁଲୁ ୫୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ଭଗବାନ ତ୍ରୁଣା ୭୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ସୋନୁଏଲ ଜେନା ୮୦ କେଜି ବର୍ଗରେ ରୌପ୍ୟ ପଦକ ଜିତି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି ।

ଏହି ସଫଳତାର ମୁଖ୍ୟ ଶ୍ରେୟ ବକ୍ସିଂ ପ୍ରଶିକ୍ଷକ ଶ୍ରୀ ରାମକୃଷ୍ଣ ବେନିଆଙ୍କୁ ଦିଆଯାଉଛି। ପେସାରେ ଶିକ୍ଷକ ହୋଇଥିଲେ ମଧ୍ୟ ବକ୍ସିଂ କ୍ରୀଡ଼ା ପ୍ରତି ତାଙ୍କର ଅସୀମ ଆଗ୍ରହ, ନିଷ୍ଠା, ସମର୍ପଣ ଭାବ ଓ ଦିନରାତି କଠିନ ପରିଶ୍ରମ ଖେଳାଳିମାନଙ୍କୁ ରାଜ୍ୟସ୍ତରରେ ସଫଳତା ଆଣିଦେଇଛି। ତାଙ୍କର ନିୟମିତ ପ୍ରଶିକ୍ଷଣ ଓ ଉଚିତ ମାର୍ଗଦର୍ଶନରେ ଗଜପତିର ବକ୍ସରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଏହି ସଫଳତାରେ ଖୁସିବ୍ୟକ୍ତ କରି ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡଃ ମାୟାଧର ସାହୁ ସମସ୍ତ ପଦକ ବିଜେତା ଖେଳାଳି, ଦଳୀୟ ପ୍ରବନ୍ଧକ ଶ୍ରୀ ଦିଲେଶ୍ୱର ତ୍ରୁଣା ଓ ପ୍ରଶିକ୍ଷକ ଶ୍ରୀ ରାମକୃଷ୍ଣ ବେନିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ମଧ୍ୟ ଖେଳାଳିମାନଙ୍କ ଏହି ସଫଳତାକୁ ପ୍ରଶଂସା କରିବା ସହ ପ୍ରଶିକ୍ଷକ ଶ୍ରୀ ରାମକୃଷ୍ଣ ବେନିଆଙ୍କ ନିଷ୍ଠା, ସମର୍ପଣ ଓ କଠିନ ପରିଶ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଖେଳାଳିମାନଙ୍କୁ ନିୟମିତ ଅଭ୍ୟାସ, ଶୃଙ୍ଖଳା ଓ ଦୃଢ଼ ମନୋବଳ ବଜାୟ ରଖି ଆଗାମୀ ଦିନରେ ଜାତୀୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଧିକ ପଦକ ହାସଲ କରି ଗଜପତି ଜିଲ୍ଲା ତଥା ଓଡ଼ିଶାର ଗୌରବ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି । ଗଜପତି ଜିଲ୍ଲାର ଏହି ଐତିହାସିକ କ୍ରୀଡ଼ା ସଫଳତାରେ ଜିଲ୍ଲାର କ୍ରୀଡ଼ାପ୍ରେମୀ, ଶିକ୍ଷକ ଓ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ଖେଳିଯାଇଛି।

