ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଷରପାଟଣା ଛକରେ ଘଟିଛି ଦୁର୍ଘଟଣା । ରାସ୍ତା ମଝିରେ ଠିଆ ହୋଇଥିବା ଗାଡିଟି ଅଚାନକ ଷ୍ଟାର୍ଟ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ମହିଳା ଆହତ ହୋଇଥିବାବେଳେ ଏକାଧିକ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବିଷରପାଟଣା ଛକ ରାସ୍ତାକଡ଼ରେ ଜଣେ ବ୍ୟକ୍ତି ନିଜର ଓଆର-୦୭ଏଫ-୭୬୫୬ ନମ୍ବର ବିଶିଷ୍ଟ ମାରୁତି – ୮୦୦ ଗାଡ଼ିକୁ ରଖି ବଜାର କାର୍ଯ୍ୟ କରୁଥିଲେ । ଉକ୍ତ ଗାଡ଼ିରେ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ହଠାତ କୌଣସି କାରଣ ବଶତଃ ଗାଡିଟି ଷ୍ଟାର୍ଟ ହୋଇ ଯାଇଥିଲା ଏବଂ କ୍ଷିପ୍ରଗତିରେ ଆଗକୁ ବଢିବାକୁ ଲାଗିଥିଲା । ତେବେ ସୌଭାଗ୍ୟବଶତଃ ଗାଡିଟି ସିଧା ନ ଯାଇ ଡାହାଣ ପାର୍ଶ୍ୱକୁ ବୁଲି ଯାଇଥିଲା । ଯାହା ଫଳରେ ମାତ୍ର ୫୦ ମିଟର ଆଗକୁ ଯାଇ ଏକ ବାଇକକୁ ଧକ୍କା ଦେଇ ଖୁଣ୍ଟକୁ ପିଟିବାରୁ ଇଞ୍ଜିନ ବନ୍ଦ ହୋଇ ଯାଇଥିଲା । ତେବେ ଗାଡିଟି ଜଣେ ମହିଳାଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଯାହା ଫଳରେ ମହିଳା ଜଣକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ । ମହିଳାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗି ଥିବାବେଳେ ବର୍ତ୍ତମାନ ସେ ବାଣପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ପକ୍ଷରେ ଦୁର୍ଘଟଣାଗ୍ରସ୍ତ ବାଇକର କିଛି ଅଂଶ ମଧ୍ୟ ଭାଙ୍ଗି ଯାଇଛି । ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ବହୁତ ଲୋକେ ବର୍ତ୍ତି ଯାଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ନାବାଳକ ଜଣକ ଗାଡ଼ି ଚଳାଇବାକୁ ଉଦ୍ୟମ କରିଥିବାରୁ ଏପରି ଘଟଣା ଘଟିଛି ।।
କାର ଧକ୍କାରେ ମହିଳା ଆହତ ।।

