ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ !!!

Spread the love

!!! ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହିତ ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଟାଙ୍ଗୀ ପୋଲିସ । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ । ସୂଚନା ମୁତାବକ ଗତକାଲି ଏକ ଇଣ୍ଡିଗୋ କାର ଦ୍ୱାରା କନ୍ଧମାଳରୁ ସୁଦୂର ରାଜସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ବାଲୁଗାଁ ଏସଡ଼ିପିଓଙ୍କୁ ଖବର ମିଳିଥିଲା। ଏସଡ଼ିପିଓ ସଙ୍ଗେସଙ୍ଗେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟାଙ୍ଗୀ ପୋଲିସ ଓ ନାଚୁଣୀ ଫାଣ୍ଡି ପୋଲିସର ତିନି ଗୋଟି ଟିମକୁ ୧୬ ନମ୍ବର ଜାତୀୟ ରାଜପଥରେ ନିୟୋଜିତ କରିଥିଲେ । ଟାଙ୍ଗୀ ଠାରୁ ନାଚୁଣୀ ପର୍ଯ୍ୟନ୍ତ ଉକ୍ତ ଟିମ ପୃଥକ ପୃଥକ ସ୍ଥାନରେ ଛପି ରହିଥିବା ବେଳେ ଏସଡ଼ିପିଓ ଶ୍ରୀ ବାରିକ ମଧ୍ୟ ରାତି ତମାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ତେବେ ରାତି ପାଖାପାଖି ୩ ଘଟିକା ସମୟରେ ଦୀକ୍ଷୀତପଡ଼ା ଚଣ୍ଡେଶ୍ୱର ରୋଡ଼ ନିକଟରେ ଉକ୍ତ ନିର୍ଦ୍ଦିଷ୍ଟ କାରଟି ପୋଲିସ ଗାଡିକୁ ଦେଖିବା ମାତ୍ରେ ପଛକୁ ବୁଲାଇ ପଳେଇ ଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ପରେ କାରରୁ ହଠାତ ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା । ପରିଶେଷରେ ଶେଖ ମୁବାରକ (୩୨) ନାମକ ଅଭିଯୁକ୍ତଙ୍କୁ କାବୁ କରିଥିଲା । ମୁବାରକଙ୍କ ଘର ଟାଙ୍ଗୀ ଥାନା ଦୀକ୍ଷୀତପଡ଼ା ଅଞ୍ଚଳରେ । ତେବେ ପୋଲିସ ତଲାସୀ କରିବା ସମୟରେ ଗାଡ଼ି ମଧ୍ୟରୁ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । କନ୍ଧମାଳରୁ ଭାୟା ନୟାଗଡ ହୋଇ ଗଞ୍ଜେଇ ଦୀକ୍ଷୀତପଡ଼ା ଆସିଥିଲା ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ରାଜସ୍ଥାନ ଯାଇଥାନ୍ତା । ଏ ନେଇ ଟାଙ୍ଗୀ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୧ / ୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରି ରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଧରା ପଡ଼ିବେ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି । ଚଢ଼ାଉରେ ଟାଙ୍ଗୀ ଥାନା ଏସଆଇ କୁମାର ମୁଦୁଲି, ଏଏସଆଇ ଭଗବାନ ସ୍ୱାଇଁ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *