ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ନୀଳାଦ୍ରିପ୍ରସାଦ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଘଟଣାରେ ଜଣେ ବିଜେଡ଼ି ନେତା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହେବାପରେ ପୁଲିସ ଆରମ୍ଭ କରିଛି ତନାଘନା । ଅଭିଯୋଗ କରିଛନ୍ତି ରିଗିଡିସିମା ଗ୍ରାମର ନକୁଳ ଶବରଙ୍କ ପୁଅ ଲୋକନାଥ ଶବର ।

ଅଭିଯୋଗ ମୁତାବକ ସୋମବାର ରାତି ପାଖାପାଖି ୮ ଘଟିକା ସମୟରେ ଲୋକନାଥ ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଜଳଖିଆ ଦୋକାନରୁ କାମ ସାରି ସ୍କୁଟି ଯୋଗେ ନିଜ ଗ୍ରାମ ରିଗିଡିସିମାକୁ ଫେରୁଥିବା ବେଳେ ବଙ୍କାଡ଼ଗଡ଼ ଜଙ୍ଗଲ ରାସ୍ତାରେ ହଠାତ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ସୌଭାଗ୍ୟବଶତଃ ଲୋକନାଥ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ । ଲୋକନାଥ ଏଥିରେ ଭୟଭୀତ ହୋଇ କ୍ଷିପ୍ର ଗତିରେ ଗାଡ଼ି ଚଳାଇ କିଛି ବାଟ ଅତିକ୍ରମ କଲା ପରେ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏହାପରେ ଉକ୍ତ ଖବର ବିଜୁଳି ବେଗରେ ସମଗ୍ର ଅଞ୍ଚଳରେ ଖେଳି ଯାଇଥିଲା ।

ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡହେଲା ପରେ ପୋଲିସକୁ ସୂଚନା ଦେଇଥିଲେ ଲୋକନାଥ । ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ । ମଙ୍ଗଳବାର ମଧ୍ୟ ଦିନ ତମାମ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ହାତରେ କୌଣସି ସୁରାକ ଲାଗି ପାରିନାହିଁ । ତେବେ ଏହା ପୂର୍ବ ଶତ୍ରୁତାରୁ ହୋଇଥାଇ ପାରେ ବୋଲି ଲୋକନାଥ ସନ୍ଦେହ କରି ଏତଲାରେ କିଛି ବ୍ୟକ୍ତି ବିଶେଷଙ୍କ ନାମ ଉଲ୍ଲେଖ କରିଥିବାର ଜଣାପଡିଛି । ଲୋକନାଥ ମଧ୍ୟ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜଣେ ପୁରୁଖା ବିଜେଡି ନେତା ହୋଇଥିବାରୁ ଏବଂ ଆଗକୁ ପଞ୍ଚାୟତ ନିର୍ବାଚନ ଆସିବାକୁ ଥିବାବେଳେ ଗୁଳିକାଣ୍ଡର ଏହା ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ବାଣପୁର ପୋଲିସ କେସ ନମ୍ବର ୩୮୦ / ୨୧, ଦଫା ୩୦୭, ୨୫ ଓ ୨୭ ଆରମ୍ସ ଆକ୍ଟ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।

