ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କର୍କଟ ରୋଗକୁ ନେଇ ଓଡ଼ିଶା ରୁ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଏକ ସ୍ୱତନ୍ତ୍ର ରୋଗ ପ୍ରତିଷଧକ ଉପାଦାନ । ଏଥିପାଇଁ ବୈଜ୍ଞାନିକ ମାନେ ଗବେଷଣା ଚଳାଇଛନ୍ତି । ହରିୟାଣାର ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏଭଳି ରିପୋର୍ଟ ଆସିଛି । ଚିଲିକା ମଇଁଷିଙ୍କ କ୍ଷୀର ଓ ଦହିରେ ଓଭେଗା ଥ୍ରି ଫ୍ୟାଟି ଏସିଡ୍ ରହିଥିବା ଜଣାପଡ଼ିଛି । ତେବେ ଗବେଷଣାରୁ ଏଭଳି ତଥ୍ୟ ମିଳିବା ପରେ ଏବେ ଚିଲିକାକୁ ବୈଜ୍ଞାନିକଙ୍କ ସୁଅ ଛୁଟିବାରେ ଲାଗିଛି । ମଣିଷଙ୍କ ଶରୀରରେ ୪୬ ଟି ଗୁଣସୂତ୍ର ରହିଥିବା ବେଳେ ଚିଲିକା ମଷିଁଙ୍କ ଠାରେ ୪୮ ଟି ରହିଛି । ଅନ୍ୟ ଅଞ୍ଚଳର ଗାଈ, ମଇଁଷିଙ୍କ କ୍ଷୀରରୁ ପ୍ରସ୍ତୁତ ଦହି ଦୁଇ / ତିନି ଦିନରେ ଖଟା ହୋଇ ଯାଉଥିବା ବେଳେ ଚିଲିକା ମଇଁଷିଙ୍କ ଦହି ୫-୭ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହୁଥିବା ଜଣାପଡ଼ିଛି । ଚିଲିକାରେ ରହୁଥିବା ମଇଁଷି ମାନେ ଅଳ୍ପ ମଧୁର ଲୁଣିପାଣି ପିଇବା ସହ ଚିଲିକାର ଦଳ ଓ ଘାସ ଖାଉଛନ୍ତି । ତେଣୁ ସେମାନଙ୍କ ଠାରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ମଇଁଷି କ୍ଷୀରରେ ଏଭଳି ଅନେକ ଉପକାରୀ ଉପାଦାନ ରହିଥିବାରୁ ତାହା ମଣିଷ ଶରୀର ପାଇଁ ବରଦାନ ସଦୃଶ ହେବ ବୋଲି ଜଣାପଡ଼ିଛି । ମଇଁଷି କ୍ଷୀରରେ କର୍କଟ ପ୍ରତିରୋଧୀ ଉପାଦାନ ରହିଥିବା ନେଇ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଓ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ ରିସୋର୍ସେସ (ଏନବିଏଜିଆର)ର ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି ।